ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ବଢିଚାଲିଛି ବିଶ୍ୱବିଦ୍ୟାଳୟ ସଂଖ୍ୟା । ମହାବିଦ୍ୟାଳୟ ଗୁଡିକୁ ବିଶ୍ୱବିଦ୍ୟାଳୟରେ ପରିଣତ ବି କରାଯାଉଛି । କିନ୍ତୁ ବିଡମ୍ବନାର କଥା ଅନେକ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଅଧ୍ୟାପକ ପଦବୀ । ବିଶ୍ୱବିଦ୍ୟାଳୟର ଅବସ୍ଥା ଏମିତି ଯେ ଅଧିକାଂଶ ଅତିଥି ଅଧ୍ୟାପକରେ ଚାଲିଛି ବିଭାଗ । ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ଶିକ୍ଷା ବିଭାଗ । ଏଣିକି ବିଶ୍ୱବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟାପକ ପଢାଇବେ ପାଠ । ଉକ୍ରଳ, ବ୍ରହ୍ମପୁର, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓ ଓଡିଆ ବିଶ୍ୱବିଦ୍ୟାଳୟ ବ୍ୟତୀତ ଅନ୍ୟ ୧୩ଟି ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ଚିଠି କରିଛି । କେମିତି ହେବ ଅଧ୍ୟାପକ ନିଯୁକ୍ତି? ୬ ଜଣିଆ ସଦସ୍ୟ ଦଳ ଗଠନ କରାଯାଇଛି । କମିଟିର ସମ୍ମତିକ୍ରମେ ଅଧ୍ୟାପକ ନିଯୁକ୍ତି କରାଯିବ । ଚୟନ କମିଟିର ଅଧ୍ୟକ୍ଷ ରହିବେ ବିଶ୍ୱବିଦ୍ୟାଳୟ କୂଳପତି । ଅଧ୍ୟାପକ ଭାବେ ଅତି କମରେ ଏକ ବର୍ଷ ଯାଏଁ ପାଠ ପଢାଇବେ ଅବସରପ୍ରାପ୍ତ ପ୍ରଫେସର । ଏଥିପାଇଁ ସେମାନଙ୍କ ସହ ଚୁକ୍ତି କରାଯିବ । ମାସକରେ ଅଧ୍ୟାପକ କରିବେ ୩୫ଟି କ୍ଲାସ । ଗବଷେଣା କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇବେ । ମାସକୁ ପାରିତୋଷ ରାଶି ବାବଦକୁ ୫୦ ହଜାର ଟଙ୍କା ଦିଆଯିବ । ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର ପାଇବେ ୪୦ ହଜାର ଟଙ୍କା । ଏହି ବ୍ୟବସ୍ଥାକୁ ଅନେକ ବିଶ୍ୱବିଦ୍ୟ।ଳୟ ସ୍ୱାଗତ କରିଥିବାବେଳେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ବିଭିନ୍ନ ଅଧ୍ୟାପକ ସଂଘ ବିରୋଧ କରିଛି । ଦିନକୁ ଦିନ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତନ ଆସୁଛି । ଅନେକ କ୍ଷେତ୍ରରେ ନୂଆ ନୂଆ ବୈଷୟିକ କୌଶଳ ବି ବ୍ୟବହାର କରାଯାଉଛି । ଅନଲାଇନରେ ବି ପାଠ ପଢାଚାଲିଛି । ତେବେ ପ୍ରଶ୍ନ ଉଠୁଛି ଏଭଳି ପରିସ୍ଥିତିରେ ଅବସରପ୍ରାପ୍ତ ଅଧ୍ୟାପକ ନୂଆ ବ୍ୟବସ୍ଥାକୁ ଆପଣେଇ ପାଠ ପଢାଇବାରେ ସକ୍ଷମ ହେବେ ତ ?





