ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାର ପ୍ଲାଜମା ଥେରାପି ଦ୍ୱାରା କରୋନା ଚିକିତ୍ସା ନିମନ୍ତେ ପ୍ରୟାଶ ଆରମ୍ଭ କରିଥିବା ବେଳେ ଏଥିପାଇଁ ରାଜ୍ୟରେ ବହୁ ନେତା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ପ୍ରରିପେକ୍ଷିରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଯାହାକୁ ନେଇ ଆଜି ମନ୍ତ୍ରୀ ସୋସିଆଲ୍ ମିଡିଆ ମାଧ୍ୟମରେ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କରୋନା ରୋଗରୁ ସୁସ୍ଥ ହୋଇ ବିଜୟୀ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଆହ୍ୱାନ ଦେଇଛନ୍ତି । ଏଥିସହିତ ଦୁଇ ଜିଲ୍ଲାର ସ୍ଥାନୀୟ ନେତା ଏବଂ ଜନପ୍ରତିନିଧିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ କରୋନ ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରୟାଶ ସଫଳ ହେବ ବୋଲି ଆଶା କରାଯାଉଛି ।






