କରଞ୍ଜିଆ, (ବାଘୁଆବାର୍ତ୍ତା): କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ଓ ଦୁଧିଆଣି ରେଞ୍ଜ ଅଞ୍ଚଳରେ ବନବିଭାଗ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ମିଳିତ ଟିମ୍ର ଚଢାଉ। ଏହି ଚଢାଉରେ ବିପୁଳ ପରିମାଣର ବଜ୍ରକାପ୍ତା କାତି, ହରିଣ ଓ ସମ୍ବର ଶିଙ୍ଗ ଜବତ ହୋଇଛି। ଏହା ସହ ୬ ବନ୍ୟଜନ୍ତୁ ଅଙ୍ଗ ତସ୍କର ଗିରଫ ହୋଇଛନ୍ତି। ଖବର ଅନୁଯାୟୀ, କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ଓ ଦୁଧିଆଣି ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁ ଅଙ୍ଗ ଡିଲ୍ ଚାଲିଥିବା ଖବର ପାଇ ବନବିଭାଗ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ମିଳିତ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ଠାକୁରମୁଣ୍ଡା ରେଞ୍ଜ ଖପରାଖାଇ ଗାଁରୁ ସାଢେ଼ ୪ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିଭଳି ଦୁଧିଆଣି ରେଞ୍ଜ ଯଶୀପୁର ନିକଟ ପଦ୍ମପୁର ଗାଁରୁ ୮ ଟି ହରିଣ ଶିଙ୍ଗ ଓ ୬ଟି ସମ୍ବର ଶିଙ୍ଗ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମିଳିତ ଟିମ୍ । ଏନେଇ ସୂଚନା ଦେଇଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ।





