ଭଦ୍ରକ, (ବାଘୁଆବାର୍ତ୍ତା): ନିଶା ଛାଡିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଏବେ ମିଳିଛି କ୍ଷତାକ୍ତ ମୃତଦେହ । ଦେହରେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିବାର ପକ୍ଷରୁ ଆସିଛି ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଥିବା ବାସ୍ତବ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ଏମିତି ଅଭିଯୋଗ । ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କ ପରିବାର ଲୋକେ ଗତ ୪ ତାରିଖ ଦିନ ବାସ୍ତବ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
କିଛି ଦିନ ତଳେ ପରିବାର ଲୋକେ ଆସିଥିବା ବେଳେ ତାଙ୍କୁ ସିସିଟିଭି ଜରିଆରେ କେଦାରନାଥଙ୍କୁ ଦେଖାଇଥିଲେ କର୍ମଚାରୀ । ତେବେ ମଙ୍ଗଳବାର ଦିନ ହଠାତ୍ ସେ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପୁଣି ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଜଣାଇଥିଲେ ଯେ, ଭଦ୍ରକ ମେଡିକାଲରେ କେଦାରନାଥଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ପହଞ୍ଚିଲା ବେଳକୁ କେଦାରନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି । ଏପିରିକି ମାଡ଼ ହୋଇଥିବା ଚିହ୍ନ ମଧ୍ୟ ରହିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।





