ନୀଳଗିରି, (ବାଘୁଆବାର୍ତ୍ତା): ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ ଦଣ୍ଡ ଓ ୯୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ନୀଳଗିରି ଏସଡିଜେଏମ । କ୍ଷତିପୂରଣ ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ ନିର୍ଦ୍ଦେଶ ହୋଇଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବାଲେଶ୍ଵର ଜିଲ୍ଲା ଗୋପାଳପୁର ଅଞ୍ଚଳର ଜିତେନ୍ଦ୍ର କୁମାର ଖଟୁଆ ବାଉଁଶବଣିଆ ଗ୍ରାମର ରତିରଞ୍ଜନ ମହାରଣାଙ୍କ ଠାରୁ ୭୦ ହଜାର ଟଙ୍କା ଧାର ନେଇ ଚେକ୍ ଦେଇଥିଲେ । ପରେ ଆଉ ଟଙ୍କା ଦେବାର ନାଁ ଧରିନଥିଲେ । ଚେକ୍ ଷ୍ଟେଟ ବ୍ୟାଙ୍କରେ ବାଉନ୍ସ ହେବାରୁ ଏନେଇ ଏସଡିଜେଏମ କୋର୍ଟରେ ୭୧/୨୦୨୦ ନମ୍ବର ମାମଲା ଦାୟର ହୋଇଥିଲା । ସୋମବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଏସଡିଜେଏମ ଇପସୀ ମହାନ୍ତି ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ ଓ ୯୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିବା ସହ ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ରତିରଞ୍ଜନ ମହାରଣାଙ୍କ ତରଫରୁ ଆଇନଜୀବୀ ସତ୍ୟଜିତ ମିଶ୍ର ଓ ତନୟ ପାତ୍ର ମୋକଦ୍ଦମା ପରିଚାଳନା କରୁଥିଲେ ।





