ବରଗଡ, (ବାଘୁଆବାର୍ତ୍ତା): ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ଗ୍ୟାସ୍ ଗୋଦାମରେ ସିକ୍ୟୁରିଟି ଗାର୍ଡଙ୍କୁ ଭୟଭୀତ କରି ଲୁଟ୍ କରୁଥିବା ୬ ଜଣ ଆନ୍ତଃରାଜ୍ୟ ଅପରାଧି ସହ ୩ ଜଣ ଗ୍ରାହକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ସେମାନଙ୍କ ଠାରୁ ୫ ଶହଟି ବିଭିନ୍ନ କମ୍ପାନୀର ଭର୍ତ୍ତି ସିଲିଣ୍ଡର ସହ ୪ଟି ଲୁହା ଛଡ଼, ଗୋଟିଏ କଟର, ଗୋଟିଏ ଟିଭିଏସ ମୋଟର ସାଇକେଲ, ଗୋଟିଏ ଭୁଜାଲି, ୮ଟି ମୋବାଇଲ ଓ ଗୋଟିଏ ଚାରିଚକିଆ ଗାଡି ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ଡାନିଏଲ କେର୍କେଟା, ଆଶିଷ ସିଂ, ଦେବାଶିଷ ସେନାପତି, ଡିଲେଶ୍ଵର ପରିଡା, ସଂଜୟ ପ୍ରଧାନ, ତାପସ କୁମାର ଗଡ଼ତିଆ ଓ କ୍ରେତା ହେଲେ ସମ୍ବଲପୁରର ବିବେକା ନନ୍ଦ ସାହୁ, ଫିରୋଜ ଖାଁ ଏବଂ ନରେଶ କୁମାର ସାହୁ । ଗତ ୪ ତାରିଖ ଦିନ ଅତାବିରା ଥାନ୍ତା ଅଞ୍ଚଳର ସିଦ୍ଧାର୍ଥ ପଣ୍ଡା ନାମକ ଜଣେ ଗ୍ୟାସ୍ ବ୍ୟବସାୟୀଙ୍କ ଇଣ୍ଡେନ ଗ୍ୟାସ୍ ଏଜେନ୍ସି ରହିଥିବା ଗୋଦାମରୁ ସିକ୍ୟୁରିଟି ଗାର୍ଡକୁ ଭୟଭୀତ କରି ୧୫୮ଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ନେଇ ଯାଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା । ସୋମବାର ପଡୋଶୀ ଛତିଶଗଡ଼ ରାଜ୍ୟରେ ସମାନ ଭାବେ ଡକାୟତି କରି ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ୯ଟି ମାମଲା ଥିବାବେଳେ ମଙ୍ଗଳବାର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ ବୋଲି ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ସୂଚନା ଦେଇଛନ୍ତି ।





