ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତା କାଲି ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ଼ ଜିଲ୍ଲା ଗସ୍ତ କରିବେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ସେଥି ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ଓ ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ବେସ ସରଗରମ ହୋଇଛି । ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସାହ ଭରିଯାଇଥିବାର ପରିଲକ୍ଷିତ ହୋଇଛି।
ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ୟ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ୟ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି।
ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ଟା ରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ୟ୍ୟ ତଦାରଖ କରିବେ। ଏହାପରେ ସେ ଭଗବତୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଣପୁର ପଲଟନ ପଡିଆକୁ ଆସିବେ।
ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି। ସେଠାରେ ସେ ଦୀର୍ଘ ୪୫ ମିନଟ ଧରି ଲୋକଙ୍କ ସହିତ ଆଲୋଚନା ସହ ଭାଷଣ ପ୍ରଦାନ କରିବେ। ଏହି ପଡିଆରେ ପ୍ରାୟ ୧୦ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ପଲଟନ ପଡିଆ କାର୍ୟ୍ୟକ୍ରମ ସାରି ସେ ସେହି ନିକଟରେ ଥିବା ମିଶନ ଶକ୍ତି କେଫ୍ ପରିଦର୍ଶନରେ ଯିବେ।
ସେଥିପାଇଁ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେହିଠାରେ ପାଣ୍ଡିଆନ ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ବୋଲି ଜଣାପଡିଛି। ଏହାପରେ ଦିନ ପ୍ରାୟ ୨ ଟା ୩୦ ମିନିଟରେ ସେ ବାଣପୁରରୁ ନିକଟସ୍ଥ ହେଲିପ୍ୟାଡକୁ ଯାଇ ସେଠାରୁ ରଣପୁର ଗସ୍ତରେ ଯିବେ।
ତେବେ ପାଣ୍ଡିଆନ ଗସ୍ତକୁ ନେଇ ସବୁ ବିଜେଡି ନେତା ଏକାଠି ହୋଇଯାଇଛନ୍ତି। ସେଥିପାଇଁ ବାଣପୁରରେ ରାଜ୍ୟସ୍ତରୀୟ ନେତା ମଧ୍ୟ ଗତକାଲିଠାରୁ ପହଞ୍ଚି ସମସ୍ତ କାର୍ୟ୍ୟ ତଦାରଖ କରୁଛନ୍ତି। ସେହିପରି ପୋଲିସ ପ୍ରଶାସନ ମଧ୍ୟ ବେଶ ତତ୍ପର ହୋଇ ଉଠିଛି। ପାଣ୍ଡିଆନ ଗସ୍ତ ସମୟରେ ଭିଡ ଏବଂ ପଲଟନ ପଡିଆରେ ଲୋକଙ୍କ ସମାବେଶକୁ ସୁନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।






