ଭୁବନେଶ୍ଵର, (ବାଘୁଆବାର୍ତ୍ତା): ନୂତନ କଂଗ୍ରେସ ପ୍ରଭାରୀ ଭାବେ ଅଜୟ କୁମାରଙ୍କ ନିଯୁକ୍ତି ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଚଳଚଞ୍ଚଳ ହୋଇ ଉଠିଛି। ସାଧାରଣ ନିର୍ବାଚନ ପାଇଁ ଦଳ ଅଣ୍ଟା ଭିଡିବା ଆରମ୍ଭ କଲାଣି। ପ୍ରଭାରୀ ଅଜୟ କୁମାର ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି। ଆଉ ଦଳ ୨୦୨୪ ନିର୍ବାଚନ କେମିତି ଲଢିବ ସେ ନେଇ ରଣନୀତି ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ୍ ବସ୍। ବସ୍ରେ ସବୁ ନିର୍ବାଚନ ମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା। ନିର୍ବାଚନୀ ପୋଷ୍ଟରରେ ଏମପି ଓ ଏମଏଲଏ ପ୍ରାର୍ଥୀଙ୍କ ଫଟୋ ଏକ ସଙ୍ଗେ ରହିବ। ଅଲଗା ଅଲଗା ନ ରଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ବସ୍ ଯାତ୍ରାରେ ଦଳ ଜନତାଙ୍କ ସହ ଅଧିକରୁ ଅଧିକ ସଂପର୍କ ରଖିବାକୁ ଲକ୍ଷ୍ୟ ରଖିଛି। ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ନିଯୁକ୍ତ ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ଅଜୟ କୁମାର । ଆଜି ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ରାଜ୍ୟରେ ବ୍ୟୁ୍ରୋକ୍ରାଟ ସରକାର ଚାଲିଥିବା କହିଛନ୍ତି ଅଜୟ କୁମାର । ନେତାଙ୍କ ଅଧିନରେ ଆଇଏଏସ, ଆଇପିଏସ୍ କାମ କରିବା କଥା । ଏଠାରେ ଆଇଏଏସ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ରାଜ୍ୟରେ ମନ୍ତ୍ରୀ, ବିଧାୟକଙ୍କ କୌଣସି ସମ୍ମାନ ବି ନାହିଁ । ଏଠାକାର ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜର ନୈତିକତା ବି ଭୁଲି ଗଲେଣି । ଇଡି ଓ ସିବିଆଇ ରେଡକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି । ଅଜୟ କୁମାର କହିଛନ୍ତି, ଦେଶର ସବୁଆଡେ ଇଡି, ସିବିଆଇ ରେଡ୍ କରୁଛି । କିନ୍ତୁ ଓଡିଶାରେ ନୁହେଁ । କାରଣ ବିଜେପି ଓ ବିଜେଡି ଭାଇ-ଭାଇ । ନବୀନ-ମୋଦୀ ଗୋଟିଏ, ମିଳିମିଶି ରାଜ୍ୟରେ ଶାସନ କରୁଛନ୍ତି । ଏପରିକି ଲୋକସଭା ନିର୍ବାଚନରେ ବିଜେପିକୁ ୧୫ ସିଟ୍ ଦେବାକୁ ମଧ୍ୟ ବୁଝାମଣା ହୋଇଛି । ବାକି ୬ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ କଥାବାର୍ତ୍ତା ଚାଲିଛି। ତେଣୁ ରାଜ୍ୟରେ କଂଗ୍ରେସ ହିଁ ଭଲ ବିକଳ୍ପ ହୋଇ ପାରିବ ବୋଲି ସେ କହିଛନ୍ତି।






