ନୟାଗଡ଼, (ବାଘୁଆବାର୍ତ୍ତା) : ଖୋର୍ଦ୍ଧା ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହି ବରିଷ୍ଠ ଅଧିକାରୀ କିଛିଦିନ ତଳେ ସ୍ୱାବ ଦେଇଥିବା ବେଳେ ଆଜି ତାଙ୍କର କରୋନା ପଜେଟିଭ୍ ବାହାରିଥିବା ଜଣାଯାଇଛି । ଏହାକୁ ନେଇ ନୟାଗଡ଼ ଜିଲ୍ଲା ପ୍ରଶାସନ ଭିତରେ ଛନକା ସୃଷ୍ଟି ହୋଇଛି । ସୂଚନାନୁସାରେ, ଆଜି ନୟାଗଡ଼ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉକ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିବା ବେଳେ ଅତ୍ୟନ୍ତ ଖାମଖିଆଲ ଢଙ୍ଗରେ ସେ ଉପସ୍ଥିତ କର୍ମଚାରୀଙ୍କୁ ମାସ୍କ ଖୋଲ ମୁଁ ମୁହଁ ଦେଖିବି ବୋଲି ମଧ୍ୟ କହିଥିଲେ । କେବଳ ଏତିକି ନୁହେଁ ଏହି ଅଧିକାରୀ ତାଙ୍କ ସମସାମୟିକ ଜୈାନିକ ଅଧିକାରୀଙ୍କୁ ଆଲିଙ୍ଗନ କରିଥିବା ମଧ୍ୟ ଆଲୋଚନା ହେଉଛି । ବୈଠକ ପରେ ଚା, ଜଳଖିଆ କରି ଆଜି ସେ ନୟାଗଡ଼ରୁ ଫେରିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ତେବେ ଏହାକୁ ନେଇ ବିରାଟ ପ୍ରଶ୍ନ ଛିଡ଼ା ହୋଇଛି । ଜଣେ ଭାରତୀୟ ପ୍ରଶାସନିକ ସେବାର ଏହି ଅଧିକାରୀ ଜଣଙ୍କ କିଭଳି ସ୍ୱାବ ଦେବା ପରେ ବୈଠକରେ ଯୋଗ ଦେବାକୁ ଆସିଥିଲେ? ଯଦି ଆସିଥିଲେ ତେବେ ସେ କର୍ମଚାରୀଙ୍କୁ ମାସ୍କ ଓହ୍ଲାଇବା ପାଇଁ କାହିଁକି କହିଥିଲେ? ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ଚୁପ ରହିଥିଲେ କାହିଁକି? ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ଲମ୍ବା ଭାଷଣ ଦେଉଥିବା ନୟାଗଡ଼ ଜିଲ୍ଲା ପ୍ରଶାସନର ଯେଉଁ ବରିଷ୍ଠ ଅଧିକାରୀମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସଂଗରୋଧରେ ରହିବା ସହ ତାହାର ଏକ ତାଲିକା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରାଯିବା ପାଇଁ ଦାବି ହେଉଛି । କାରଣ ଏହି ଅଧିକାରୀଙ୍କ ସହ ଆଜି ବହୁ ଲୋକ ସଂସ୍ପର୍ଶରେ ଆସିଥିବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ, ଏହାକୁ ନେଇ ଜିଲ୍ଲାରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।






