ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଜୀବନ ନେଲା କିନ୍ନର ବନ୍ଧୁ ସହ ସମ୍ପର୍କ । ଖୋର୍ଦ୍ଧା ଜଙ୍କିଆ ଥାନା ଭୀମପଡ଼ା ଗାଁରେ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ । ଗତ ୨ ତାରିଖ ଦିନ ରଶ୍ମୀ ରଂଜନ ବଳିଆର ସିଂଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଆଗକୁ ବଢ଼ିଥିଲା ତଦନ୍ତ । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ରାମେଶ୍ୱର ଛକରେ ଛାଡ଼ି ଦେଇଥିଲା ବାଇକ୍ । ଏହି ବାଇକକୁ ଜବତ କରି ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ । ଅଭିଯୁକ୍ତ ସୋମନାଥ ଲାଠ ଜଣେ କିନ୍ନର । ସୋମନାଥ ଓ ରଶ୍ମୀ ଉଭୟ କଳାକାର ଥିଲେ । ଉଭୟ ନାଟକରେ ମିଶି ଅଭିନୟ କରୁଥିଲେ । ୨୦୧୭ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପକ ଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ପଶି ଆସିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହି ପାରିନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମୀଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମୀ ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ଅଭିଯୁକ୍ତ ।





