ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତାକୁଡ଼ା ନିକଟରେ ଆଜି ଏକ ମର୍ମ୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଆହାତ ହୋଇଛନ୍ତି । ସୂଚନାନୁସାରେ, ଗୁର୍ହା ଗ୍ରାମର ଚିତ୍ରସେନ ବେହେରା (୨୨) ଆଜି ନିଜ ବାଇକ ଯୋଗେ ମା ଚଞ୍ଚଳା ବେହେରା, ମାଉସୀ କୁନ୍ତଳା ନାୟକ ଏବଂ ଭାଣେଜୀ ଜାନକୀ ବେହେରାଙ୍କୁ ସାଙ୍ଗରେ ଧରି ବାଣିଗୋଚ୍ଛା ଅଭିମୂଖେ ଯାଉଥିଲେ । ତାକୁଡ଼ା ନିକଟରେ ବିପରିତ ଦିଗରୁ ଆସୁଥିବା ଗୋଟିଏ ତେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚିତ୍ରସେନଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ, ମାଉସୀ ଏବଂ ଭାଣେଜୀଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାଯାଇଛି ।






