ନୟାଗଡ଼, (ବାଘୁଆବାର୍ତ୍ତା) : ଭାରତୀୟ ମଜଦୁର ସଂଘ ଆନୁକୁଲ୍ୟରେ ଓଡ଼ିଶା ଆଶା ସାଥି ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଆଜି ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି । ଆଶା ସାଥିମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣାନୁସାରେ ୬ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ, ବୀମା ଏବଂ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଅନ୍ତର୍ଭୁକ୍ତ କରିବା, ଆୟୁଷ୍ମାନ ଭାରତ ଚିକିତ୍ସା ବୀମାରେ ଆଶା ସାଥିଙ୍କୁ ସାମିଲ କରିବା, ମହାମାରୀ କରୋନା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ ଆଦି ସଂପର୍କରେ ଦାବି ଉପସ୍ଥାପନ କରାଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ନୟାଗଡ଼ ଜିଲ୍ଲା ସଭାନେତ୍ରୀ ଅଞ୍ଜଳୀ ମହାନ୍ତି, ସଂପାଦିକା ଜୟନାଥ ଶର୍ମା, ରଶ୍ମିତା ବେହେରା, ସୁକାନ୍ତି ପ୍ରଧାନ, ରାଣୀଆ ସାହୁ ପ୍ରମୂଖ ସାମିଲ ହୋଇଥିଲେ ।





