ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍ କେୟାର ହୋମ୍ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ପଂଚାୟତରେ ପ୍ରସ୍ତୁତ କରାଯାଇଥିବା ଏହି କୋଭିଡ୍ କେୟାର ହୋମ୍ରେ ଲକ୍ଷଣ ହୀନ କରୋନା ଆକ୍ରାନ୍ତଙ୍କୁ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି । ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ମୋଟ ୧୯୪ ପଂଚାୟତରେ ୧୯୪ଟି କୋଭିଡ୍ କେୟାର ହୋମ୍ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ କୋଭିଡ୍ କେୟାର ହୋମ୍ରେ ୧୦ଟି ବେଡ୍ ହିସାବରେ ଜିଲ୍ଲାରେ ୧୯୪୦ ବେଡ୍ ପ୍ରସ୍ତୁତ ସରିଥିବା ଜଣାଯାଇଛି । ଏହି ଅବସରରେ ଭାପୁର ବ୍ଲକରେ ୨୦ଟି କୋଭିଡ୍ କେୟାର ହୋମ୍ ପ୍ରସ୍ତୁତି ସରିଥିବା ବେଳେ ଦଶପଲ୍ଲାରେ ୨୦, ଗଣିଆ ୮ଟା, ଖଣ୍ଡପଡ଼ା ୨୨, ନୟାଗଡ଼ ୨୯, ନୂଆଗାଁ ୨୨, ଓଡ଼ଗାଁ ୩୬, ରଣପୁରରେ ୩୭ଟି କୋଭିଡ୍ କେୟାର ହୋମ୍ ପ୍ରସ୍ତୁତି ସରିଥିବା ଜଣାଯାଇଛି ।





