ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ସ୍ତ୍ରୀଙ୍କ ଆକ୍ସିସ୍ ବ୍ୟାଙ୍କ୍ରେ ଆକାଉଣ୍ଟ ଓ ଲକର ଯାଞ୍ଚ କଲା ଆୟକର ଅଧିକାରୀ । ଆକ୍ସିସ ବ୍ୟାଙ୍କ ଲକରରୁ ବାହାରିଲା ୩ଟି ବ୍ୟାଗ୍ । ବ୍ୟାଗ୍ରେ ସୁନା ଗହଣା, ଡାଇମଣ୍ଡ, ଫିକ୍ସଡ ଡିପୋଜିଟ୍, କିଛି ସୁନା ବିସ୍କୁଟ ସହ ଜମି କାଗଜପତ୍ର ଥିବା ସୂଚନା ମିଳିଛି । କୋଟି କୋଟି ଟଙ୍କାର ଗଣତି ସରୁନାହିଁ କି ହିସାବ ମିଳୁନାହିଁ । ବଲାଙ୍ଗୀର ସାହୁ ସାମ୍ରାଜ୍ୟ ଉପରେ ଆୟକର ଚଢାଉ ଆଜି ୬ଷ୍ଠ ଦିନରେ ଜାରି ରହିଛି । ଲଗାତାର ୫ ଦିନ ପରେ ରବିବାର ଗଣତି ସରିଥିଲା । ଗଣତି ସରିବା ପରେ ମେସିନ ସହ ବାହାରିଥିଲେ ବ୍ୟାଙ୍କ କର୍ମଚାରୀ । ୫୦ କର୍ମଚାରୀ ଓ ୨୫ ମେସିନ ଦ୍ଵାରା ଗଣତି ଶେଷ ହୋଇଥିଲା । ଗଣତିରେ ପ୍ରାୟ ୩୦୫ କୋଟି ଟଙ୍କା ମିଳିଥିବା କହିଥିଲେ ବଲାଙ୍ଗିର ଏସବିଆଇର ଆରଏମ ଭଗତ ବେହେରା । ବ୍ୟାଙ୍କ ଷ୍ଟାଫ କହୁଛନ୍ତି, ପୂର୍ବରୁ ତ ଟଙ୍କା ଦେଖିଥିଲେ ଏତେ ଏକାଥରେ ଦେଖିନଥିଲେ । ସେଥିରେ ପୁଣି ୧୦ ଟଙ୍କିଆରୁ ଆରମ୍ଭ କରି ୫ ଶହ ଟଙ୍କିଆ ସବୁ ଧରଣ ନୋଟ ଅଛି । ଗଣି ଗଣି ତଣ୍ଟି ଶୁଖି ଗଲାଣି । ହେଲେ ଟଙ୍କାର ଏ ପାହାଡ଼ ଶେଷ ହେଉନି । ସାହୁ ବ୍ରଦର୍ସଙ୍କ ମଦ ସାମ୍ରାଜ୍ୟରୁ ଜବତ ହୋଇଥିବା ଟଙ୍କାର ଆକାର । ରାଜ୍ୟର ସବୁଠାରୁ ବଡ଼ ଆଇଟି ରେଡ ଆଜି ବି ଜାରି ରହିଥିବା ବେଳେ ଗାଏ ମୋଟ କେତେ ଟଙ୍କା ଜବତ ହୋଇଛି ତାହାର ଆକଳନ ସୋମବାର ସୁଦ୍ଧା ଆସିଯିବ ବୋଲି ରିଜିଓନାଲ ମ୍ୟାନେଜର କହିଥିଲେ । ଟଙ୍କା ଗଣତିରେ ୫୦ରୁ ୬୦ ବ୍ୟାଙ୍କ କର୍ମଚାରୀ ନୋଟ ଗଣିବାରେ ନିୟୋଜିତ ଅଛନ୍ତି । ୨୫ରୁ ଅଧିକ ନୋଟ୍ ଗଣିବା ମେସିନ କାମରେ ଲାଗିଛି । ଯଦି କୌଣସି ମେସିନର ଖରାପ ହୁଏ ତେବେ ତୁରନ୍ତ ଟେକନିସିଆନ ସଜାଡୁଛନ୍ତି । ବର୍ତ୍ତମାନ ସୁଦ୍ଧା ନୋଟ୍ ଗଣିବାରେ ଦୁଇଟି ମେସିନ ଖରାପ ହୋଇଥିଲା ଯାହା ଟେକନିସିଆନ ମାନେ ସଜାଡିଛନ୍ତି । ତେବେ ଏତେ ଟଙ୍କା ଏକା ଥରକେ ଦେଖି ଟଙ୍କା ଗଣିବାରେ ନିୟୋଜିତ ଥିବା ବ୍ୟାଙ୍କ କର୍ମଚାରୀ ଆବାକ ହୋଇଯାଇଛନ୍ତି । ଟଙ୍କା ଗଣା ସରିବା ପରେ ସୁନାରୁପା ଅଳଙ୍କାର ବି ଅଛି । ସେସବୁ ଓଜନ ହେବ । ତେବେ ଏତେ ଟଙ୍କା ଆସିଲା କେଉଁଠୁ । ସୁଦପଡା ଦେଶୀ ମଦ ଭାଟି ମ୍ୟାନେଜର ବଣ୍ଟି ସାହୁ ଏବଂ ମଦ ଭାଟିର ଆଉ ଜଣେ କର୍ମଚାରୀଙ୍କୁ ଜେରା କରିବା ସହ ତାଙ୍କ ସମ୍ମୁଖରେ ଟଙ୍କା ଗଣତି ଚାଲିଛି । ବଣ୍ଟି ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଦେଶୀ ମଦ ଭାଟିରୁ ଟଙ୍କା ଗଣତି ସ୍ଥାନକୁ ନିଆଯାଇଥିଲା । ଉଭୟଙ୍କୁ ଜେରା କରିଛନ୍ତି ଆୟକର ବିଭାଗ ଅଧିକାରୀ । ଦେଶୀ ମଦ ଭାଟିରେ ଆଇଟି ଟିମ୍ ଟିଖିନିଖି ତଦନ୍ତ ଚଳାଇଛି । ଟଙ୍କା ଗଣା ସରିବା ପରେ ରାଜ୍ୟର ଆଉକିଛି ମଦ କାରବାରରେ ସାମିଲ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ଏଭଳି ଚର୍ଚ୍ଚା ହେଉଛି । ସେପଟେ ମାମଲାରେ ଇଡି ପ୍ରବେଶ କରିବାର ରାସ୍ତା ଫିଟୁଛି ।





