ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବହୁଜନ ସମାଜ ପାର୍ଟୀ (ବିଏସପି) ସୁପ୍ରିମୋ ମାୟାବତୀଙ୍କ ବଡ଼ ଘୋଷଣା। ରବିବାର, ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ବିଏସପିର ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି। ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ, ଭବିଷ୍ୟତରେ ଆକାଶ ଦଳକୁ ସମ୍ଭାଳିବେ। ଏହା ପୂର୍ବରୁ ମାୟାବତୀ ରବିବାର ଦଳର ରାଷ୍ଟ୍ରୀୟ ପଦାଧିକାରୀ ଏବଂ ସବୁ ରାଜ୍ୟର ମୁଖ୍ୟ ପଦାଧିକାରୀଙ୍କ ବୈଠକ ଡକାଇଥିଲେ। ଆଉ ଏହି ବୈଠକରେ ସେ ଆକାଶ ଆନନ୍ଦଙ୍କ ସହ ପହଞ୍ଚିଥିଲେ। କୁହାଯାଉଥିଲା ଯେ, ଏହି ବୈଠକରେ ୨୦୨୪ ନିର୍ବାଚନ ରଣନୀତି ଉପରେ ଚର୍ଚ୍ଚା ହେବ। ହେଲେ ଏହି ବୈଠକରେ ମାୟାବତୀ ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରଦାୟିତ୍ବ ଦେଇଥିଲେ। ତେବେ ମାୟାବତୀଙ୍କ ଏହି ଘୋଷଣା ପରେ ରାଜନୀତିକ ମହଲରେ ଚର୍ଚ୍ଚା ଦେଖିବାକୁ ମିଳିଛି। କାରଣ ୨୦୨୪ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ମାୟାବତୀ ଏଭଳି ଘୋଷଣା କରିଛନ୍ତି। କୁହାଯାଉଛି ଯେ, ଗତ କିଛି ବର୍ଷରୁ ଦଳକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମିଳୁଥିବା ପରାଜୟ ଫଳରେ ମାୟାବତୀ ନୂଆ ପୀଢ଼ୀଙ୍କୁ ଆଗକୁ ଆଣିବାକୁ ବିଚାର କରୁଥିଲେ। ନିକଟରେ ଆକାଶ ଆନନ୍ଦଙ୍କୁ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ବଡ଼ ଦାୟିତ୍ବ ଦିଆଯାଇଥିଲା। ଏହି ନିର୍ବାଚନୀ ପ୍ରଚାରରେ ଆକାଶ ବେଶ୍ ପରିଶ୍ରମ ମଧ୍ୟ କରିଥିବା କୁହାଯାଉଥିଲା। ଆଉ ଦଳରେ ଆକାଶ ଆନନ୍ଦଙ୍କ ବଢ଼ୁଥିବା ଗୁରୁତ୍ବକୁ ନେଇ ଦଳର ରାଷ୍ଟ୍ରୀୟ ନେତା ମଧ୍ୟ ଆନନ୍ଦଙ୍କୁ ସୁପ୍ରିମୋଙ୍କ ଉତ୍ତରାଧିକାରୀ ଭାବରେ ଦେଖିବା ନେଇ ସଙ୍କେତ ଦେଇଥିଲେ। ଆଉ ଏହାରି ମଧ୍ୟରେ ହଠାତ୍ ଆକାଶଙ୍କୁ ଦାୟିତ୍ବ ଦେଇ ମାୟାବତୀ ସମସ୍ତଙ୍କୁ ଚକିତ କରିଛନ୍ତି। ଆକାଶ ଆନନ୍ଦ ବିସପି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ଗୁରୁଗ୍ରାମରେ ବିଦ୍ୟାଳୟ ପାଠପଢ଼ା ସାରି ସେ ଆଗାମୀ ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ। ଲଣ୍ଡନରେ ହିଁ ସେ ଏମବିଏ ପାଠପଢ଼ା ସାରିଛନ୍ତି । ସେ ୨୦୧୭ରୁ ଦଳ ସହ ସକ୍ରିୟ ଅଛନ୍ତି। ଗତ ଛଅ ବର୍ଷରୁ ତାଙ୍କର ସକ୍ରିୟତା ଲଗାତାର ବଢ଼ିଛି। ବର୍ତ୍ତମାନ ସେ ଦଳର ଜାତୀୟ ସଂଯୋଜକ ପଦରେ ଅଛନ୍ତି। ସେ କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ ସଂଗଠନର ବୈଠକ ଏବଂ ସଭା କରିଛନ୍ତି। ତେବେ ରାଜନୀତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ମାୟାବତୀ ଏବେ ଆକାଶଙ୍କୁ ଭବିଷ୍ୟତର ରାଜନୀତି ପାଇଁ ପ୍ରସ୍ତୁତ କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଉତ୍ତର ଦାୟିତ୍ବ ଦେଇ ସେ ନିର୍ବାଚନୀ ଗୋଟି ଚାଳନା, ଟିକେଟ ବିତରଣ ଏବଂ ରାଜନୀତିର ସବୁ ଦିଗରେ ପାରଙ୍ଗମ କରିବାକୁ ଚେଷ୍ଟା କରିବେ। ଫଳରେ ଆଗକୁ ବିଏସପିକୁ ସମ୍ଭାଳିବାକୁ ସେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେବେ।






