ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ଆଜି ରାଜ୍ୟରେ ନୂଆ ୭୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦିଆଯାଇଛି । ଜିଲ୍ଲାର ୪ଟି ବ୍ଲକରୁ ମୋଟ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଥିବା ବେଳେ ଏଥିରେ ୮ଟି ମାମଲା ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣ ଓଡ଼ଗାଁ ବ୍ଲକର ଏବଂ ଜଣେ ନୂଆଗାଁ ବ୍ଲକ ଶିମିଳିସାହିର ବୋଲି ଜଣାଯାଇଛି । ସେହିଭଳି ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ଗାଁରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନାମୁହିଁରୁ ୪ ଜଣ, ଲଣ୍ଡାବାଦୁରୁ ଜଣେ, କୁରାଳରୁ ୨ ଜଣ ଏବଂ ଜଣେ ଶରଧାପୁର ପଂଚୟତରୁ ଚିହ୍ନଟ ହୋଇଛନ୍ତି । ଶରଧାପୁର ପଂଚାୟତ ଆକ୍ରାନ୍ତ ଆମ୍ରି ହସ୍ପିଟାଲରୁ ଚିକିତ୍ସାଧିନ ଅବସ୍ଥାରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କଣ୍ଟିଲୋରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଆପୋଲ ହସପିଟାଲର କର୍ମଚାରୀ ବୋଲି ଜଣାଯାଇଛି । ସେହିଭଳି ଶିମିଳିସାହିରୁ ଚିହ୍ନଟ ଆକ୍ରାନ୍ତ ବାଙ୍ଗାଲୋର ଫେରନ୍ତା ସେ ସମ୍ ହସ୍ପିଟାଲରେ ସ୍ୱାବ ପରୀକ୍ଷା କରାଇଥିବା ଜଣାଯାଇଛି । ଜିଲ୍ଲାରେ ପୂର୍ବ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩୪୧ ରେ ପଂହଚିଛି ।





