ନୟାଗଡ଼,(ବାଘୁଆବାର୍ତ୍ତା): ବିଜେପିର ପରାଜିତ ନେତାଙ୍କୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ସାମିଲ କରାଯିବା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରାଯିବାକୁ ନେଇ ନୟାଗଡ଼ ଜିଲ୍ଲା ରାଜନୀତି ଉଷ୍ମ ହେଉଛି । ରଣପୁର ନିର୍ବାଚନ ମଣ୍ଡଳୀରେ ଗତ ସପ୍ତାହକ ମଧ୍ୟରେ ଆଜି ତୃତୀୟ ଘଟଣା ଦେଖିବାକୁ ମିଳିଛି । ବିଜେପି ପୁରୀ ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଆଜି ଲୋକେ ଜବରଦସ୍ତ ମଞ୍ଚରୁ ଓହ୍ଲାଇ ଆସିବାକୁ ବାଧ୍ୟ କରିଛନ୍ତି । ସ୍ଥାନୀୟ ବିଜେପି ନେତ୍ରୀ ସୁରମା ପାଢ଼ୀ ଏବଂ ସମ୍ବିତ ପାତ୍ର ବାରମ୍ବାର ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ସାହାସ କରୁଛନ୍ତି । ଯାହାକୁ ନେଇ ଲଗାତର ଭାବେ ଆଜି ତୃତୀୟ ଥର ପାଇଁ ସମ୍ବିତ ପାତ୍ର ଏବଂ ସୁରମା ବିରୋଧର ସାମ୍ନା କରିଛନ୍ତି । ରଣପୁର ବ୍ଲକ ଗୋପାଳପୁରଠାରେ ଆଜି ଭାରତ ବିକାଶ ସଂକଳ୍ପ ଯାତ୍ରା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଜେପି ନେତ୍ରୀ ସୁରମା ଏବଂ ସମ୍ବିତ ଉପସ୍ଥିତ ରହିଥିଲେ । ସମ୍ବିତ ପାତ୍ର ମଞ୍ଚ ଉପରେ ଭାଷଣ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଛନ୍ତି । କାହିଁକି ସରକାରୀ କାର୍ଯ୍ୟକ୍ରମରେ ଅଣନିର୍ବାଚିତ ନେତା ତଥା ବିଜେପି ନେତା ଉପସ୍ଥିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି । ଶହ ଶହ ଲୋକଙ୍କୁ ପ୍ରଶ୍ନକୁ ସାମ୍ନା କରି ନପାରି ସମ୍ବିତ ଚୁପ ରହିଥିବା ବେଳେ ବାଧ୍ୟ ହୋଇ ମଞ୍ଚରୁ ଓହ୍ଲାଇଛନ୍ତି । ଉକ୍ତ ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାରୁ ସଭା ବାତିଲ କରାଯାଇଥିବା ଜଣାଯାଇଛି ।






