ଗୁଣୁପୁର, (ବାଘୁଆବାର୍ତ୍ତା): ରଶ୍ମିତା ସହିତ ରାମଚନ୍ଦ୍ର । ଏଇ ୨୦୧୫ରେ ଧୂମଧାମରେ ବାହାଘର ହୋଇଥିଲା । କେତେ ଖୁସିରେ ସ୍ୱାମୀ ରାମଚନ୍ଦ୍ରର ହାତ ଧରି ଶାଶୂୁଘରକୁ ଯାଇଥିଲେ ରଶ୍ମିତା । କାନ୍ଥରୁ ଲିଭିନି ନାଁ । କି ତାରିଖ ବି ଲିଭିନି । ହେଲେ ଲିଭିଯାଇଛି ରଶ୍ମିତାଙ୍କର ସବୁ ସ୍ୱପ୍ନ । ବାହା ହୋଇ ଶାଶୁ ଘରକୁ ଆସିବାବେଳେ ରଶ୍ମିତା ଯେଉଁ ସ୍ୱପ୍ନ ଦେଖିଥିଲେ, ନୂଆ ଜୀବନ ଆରମ୍ଭ କରିବେ, ସ୍ୱାମୀ ଶାଶୁ ଶ୍ୱଶୁର ସହିତ ସୁନାର ସଂସାର ଗଢ଼ିବେ, ସେ ସବୁ ସ୍ୱପ୍ନ ଏ ଦିବାସ୍ୱପ୍ନ ଭଳି ମଉଳିଗଲା । ଆଉ ଖିଲିଖିଲି ହସୁଥିବା ସେହି ରଶ୍ମିତାଙ୍କ ମୁହଁରୁ ସବୁଦିନ ପାଇଁ ଲିଭିଗଲା ହସ । ରଶ୍ମିତାଙ୍କ ମୁହଁରୁ ଏଇ ହସକୁ ସବୁଦିନ ପାଇଁ ଛଡାଇଦେଲେ ସ୍ୱାମୀ ଓ ଶାଶୁଘର ଲୋକେ । ଯାହାର ହାତ ଧରି ବାପ ଘର ଏରୁଣ୍ଡି ଡେଇଁଥିଲେ । ଯାହାର ହାତ ସହିତ ବାପା ଧରାଇଦେଇଥିଲେ ହାତ । ଯାହାକୁ ବିଶ୍ୱାସ କରି ବାପ ଘରକୁ ଛାଡି ଏକାକୀ ସ୍ୱାମୀ ସହିତ ଚାଲିଆସେ ଝିଅ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ । ଯଦି ସେହି ସ୍ୱାମୀ ସଇତାନ ସାଜିଯାଏ ଯୌତୁକ ନିଶାରେ ତାହେଲେ ସେ ଝିଅର ଅବସ୍ଥା କଣ ହେବ ଥରେ ଭାବନ୍ତୁ । ବେଦି ଉପରେ ଯେଉଁ ହାତରେ ପଡିଥିଲା ରଶ୍ମିତାଙ୍କ ହାତଗଣ୍ଠି ଆଜି ସେହି ହାତ ଢ଼ାଳିଦେଲା କେରୋସିନ୍ ଜାଳିଦେଲା ରଶ୍ମିତାଙ୍କୁ । ଆମେ କହୁଛୁ ରାୟଗଡ଼ା ଜିଲ୍ଲା ପଦ୍ମପୁରର ବହୁଚର୍ଚ୍ଚିତ ନିଆଁରେ ପୋଡି ବଧୂହତ୍ୟା ଉଦ୍ୟମ ମାମଲା କଥା । ଯେଉଁଥିରେ ଶରୀରର ୮୦ ପ୍ରତିଶତ ଭାଗ ପୋଡିଯାଇଛି ରଶ୍ମିତାଙ୍କର । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଜଗନ୍ନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ବର ପାଣିଗ୍ରାହୀ । ସ୍ବାମୀ ସ୍ତ୍ରୀ ଉଭୟ ପେଷାରେ ଶିକ୍ଷକତା କରନ୍ତି । ପରିବାର କହିଲେ ସ୍ବାମୀ , ସ୍ତ୍ରୀ ଆଉ ଦୁଇ ଝିଅ । ବଡ ଝିଅ ହେଉଛନ୍ତି ରଶ୍ମିତା । ରଶ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମ ଏସ ସି । ତେବେ ଉଚ୍ଚଶିକ୍ଷିତା ଝିଅ ରଶ୍ମିତା ୨୦୧୫ ମସିହାରେ ପଦ୍ମପୁର ଅଂଚଳର ରାମ ଚନ୍ଦ୍ର ପାଢୀଙ୍କୁ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ସାଂସାରିକ ଜୀବନ ଠିକ ଠାକ ଚାଲିଥିଲା । ହେଲେ ଦୁଇ ବର୍ଷ ପରେ ରଶ୍ମିତାଙ୍କୁ ଶାଶୁ ଘର ପକ୍ଷରୁ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ଆଉ ଏହି ନିର୍ଯ୍ୟାତନା ୨୦୨୨ ମସିହାରେ ଉଗ୍ର ରୂପ ଧାରଣ କରିଥିଲା । ଶାଶୁ ଘର ଲୋକେ ରଶ୍ମିତାଙ୍କ ଉପରେ କେରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ରସମିତାଙ୍କ ପରିବାର ବର୍ଗ । ମାଆ ମୁଣ୍ଡରେ ହାତ ଦେଇ କାନ୍ଦୁଛି ମାଆରେ ମୋତେ କ୍ଷମା କରିଦେବୁ । ଭୁଲ ହେଇଗଲା ଗୋଟେ ଭୁଲ ଲୋକ ହାତରେ ମୋ ଝିଅକୁ ଦେଇ । ଆଖିର ଲୁହକୁ କାନିରେ ମାଆ କହୁଛି ଏ ଯନ୍ତ୍ରଣା ଏ ଦୁଃଖ ସହି ହେଉନି କି କହି ହେଉନି କି କାହାକୁ ଦେଖେଇବି ହେଉନି । ଖାଲି ଅଣ୍ଟିରେ ପୁରାଇ ବୁଲିବା କଥା । ସତରେ କଣ କରିଦେଇଛନ୍ତି ରଶ୍ମିତାଙ୍କୁ । କଣ ଥିଲେ ଆଜି କଣ ହେଇଯାଇଛନ୍ତି । ଚିହ୍ନିହେଉନି ରଶ୍ମିତାଙ୍କୁ । କେରୋସିନ୍ ଢ଼ାଳି ରୂପ ଯୌବନ ସବୁକିଛିକୁ ସାରିଦେଇଛନ୍ତି ସ୍ୱାମୀ ଆଉ ଶାଶୁ ଘର ଲୋକେ । ଆପଣ ଅନେକ ଥର ଏଇ ଖବର ଶୁଣିଥିବେ ଯେ ଯୌତୁକରେ ଜଳିଗଲା ବଧୂ । ବୋହକୁ ମାରିଦେଲେ ଶାଶୁଘର ଲୋକେ । ନବବଧୂକୁ ପୋଡି ମାରିଦେଲେ । କିନ୍ତୁ ଏଠି ଏ ବୋହୁର ଜୀବନ ତ ବଞ୍ଚିଯାଇଛି ହେଲେ ଅଧା ପୋଡା ହୋଇ । ଭାବନ୍ତୁ ଶରୀରର ୮୦ ଭାଗ ପୋଡିଯାଇଛି, ସେ ଝିଅର ଅବସ୍ଥା ଏତେ କଣ ଥିବ । କେମିତି ବସୁଥିବ କେମିତି ଖାଉଥିବ, କେମିତି ଶୋଉଥିବ । ଆମ ଦେହରେ ଟିକେ ଛୋଟିଆ ଫୋଟକା ହେଇଗଲେ ଆମକୁ କେତେ କଷ୍ଟ ହେଉଛି, ଭାବନ୍ତୁ ପୂରା ଶରୀରରେ ବଡ ବଡ ଫୋଟକାକୁ କେମିତି ସହିଥିବେ ରଶ୍ମିତା । ସବୁପରେ ବି ରଶ୍ମିତା ଭାବିଥିଲେ ନ୍ୟାୟ ମିଳିବ, ସେହି ଆଶାରେ ଆଜି ବି ସଂଘର୍ଷ କରୁଛନ୍ତି । କିନ୍ତୁ ରଶ୍ମିତାଙ୍କ ଅପରାଧୀ ଆଜି ବି ବେଶ୍ ଆରାମରେ ବୁଲୁଛନ୍ତି । ଏଭଳି ଅପରାଧରେ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ହେଲେ ଆଜି ବି ମୁକ୍ତ ବୁଲୁଛନ୍ତି ରଶ୍ମିତାଙ୍କ ସ୍ୱାମୀ ଓ ଦେଢ଼ଶୁର । ସେଥିପାଇଁ କଷ୍ଟ ହେଲେ ବି ଯନ୍ତ୍ରଣା ହେଲେ ବି ଆଜି ପୀଡିତା ରଶ୍ମିତା ପାଣିଗ୍ରାହୀ ବୟାନ ରେକର୍ଡ କରାଯାଛନ୍ତି । ଅସୁସ୍ଥତା ସତ୍ତ୍ବେ ରଶ୍ମିତା ଗୁଣୁପୁର ସିଭିଲ ଜଜ୍ କୋର୍ଟରେ ପହଞ୍ଚି ବୟାନ ଦେଇଛନ୍ତି । ବୟାନ ଦେବା ପାଇଁ ଆମ୍ବୁଲାନ୍ସରେ ପହଞ୍ଚି ଷ୍ଟ୍ରେଚରରେ ବୁହା ହୋଇ କୋର୍ଟରେ ପହଁଚିଥିଲେ ରଶ୍ମିତା । କୋର୍ଟରେ ପହଁଚି ସେଦିନର ଲୋମ ଟାଙ୍କୁରା ଘଟଣା ବଖାଣିଲେ ରଶ୍ମିତା । କେମିତି ପଦ୍ମପୁରସ୍ଥିତ ଶାଶୂଘରେ ସ୍ବାମୀ କିରାସିନି ଢାଳିଥିଲେ ଆଉ ଦେଢ଼ଶୁର ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ସେସବୁ କିଛି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ରଶ୍ମିତା । ସିଭିଲ ଜଜ୍ ସନ୍ତୋଷ କୁମାର ମହାପାତ୍ରଙ୍କ ସମ୍ମୁଖରେ ରଶ୍ମିତା ସମସ୍ତ କଥା କହିଛନ୍ତି । ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣ ସାକ୍ଷୀଙ୍କ ବୟାନ ନିଆଯାଇଛି । ତଦନ୍ତକାରୀ ପୁଲିସ ଅଧିକାରୀ, ଡାକ୍ତର ଓ କଟକ ବଡ଼ ମେଡିକାଲରେ ୧୬୪ ବୟାନ ରେକର୍ଡ କରିଥିବା ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେବାକୁ ଥିବା କହିଥିଲେ ରଶ୍ମିତାଙ୍କ ଓକିଲ। ଏଣୁ ରଶ୍ମିତାଙ୍କ ବୟାନ୍ ଦେବାକୁ ଥିବାରୁ କୋର୍ଟରେ ପହଞ୍ଚିଥିଲେ ପିଡିତା। ବାପା ରାମେଶ୍ବର ପାଣିଗ୍ରାହୀ ପଦ୍ମପୁର ଥାନାରେ ରଶ୍ମିତାଙ୍କ ସ୍ବାମୀ ଓ ଦେଢଶୁରଙ୍କ ବିରୋଧରେ ଏତଲା ଦେଇଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜେଲରେ କିଛି ମାସ ରହିବା ପରେ ୮ ଡିସେମ୍ବର ୨୦୨୨ରେ ଦେଢଶୁରଙ୍କୁ ଏବଂ ୧୦ନଭେମ୍ବର ୨୦୨୩ରେ ସ୍ବାମୀ ରାମଚନ୍ଦ୍ରଙ୍କୁ ଜାମିନ ମିଳିଥିଲା। ଗୁରୁତର ଅବସ୍ଥାରେ ରଶ୍ମିତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାଙ୍କ ଶରୀରର ୮୦ପ୍ରତିଶତ ପୋଡି ଯାଇଛି । ରଶ୍ମିତା ସାଢ଼େ ୧୩ ମାସ ଧରି କଟକ ବଡ଼ ମେଡିକାଲରେ ଚିକିତ୍ସା ପରେ ଅସୁସ୍ଥତା ସତ୍ତ୍ବେ ଆମ୍ବୁଲାନ୍ସ ଯୋଗେ ଆଜି କୋର୍ଟରେ ପହଞ୍ଚିଥିଲେ। ପରିବାର ଓ ଅନ୍ୟମାନେ ମିଶି ତାଙ୍କୁ ଷ୍ଟ୍ରେଚରରେ କୋର୍ଟ ହଲ୍କୁ ନେଇଥିଲେ । ଅସୁସ୍ଥ ଥିବାରୁ କୋର୍ଟ ହଲରେ ବାରମ୍ବାର ବିଶ୍ରାମ ନେଇ ରଶ୍ମିତା ସେ ଦିନର ଘଟଣା ବର୍ଣ୍ଣନା କରିଥିଲେ। ବୟାନ ରେକର୍ଡ କରିବାକୁ ଉଭୟ ସରକାରୀ ଓକିଲ ଗଣେଶ ପଣ୍ଡା ଓ ଅଭିଯୁକ୍ତଙ୍କ ଆଇନଜୀବୀ ପଣିଭୂଷଣ ପଟ୍ଟନାୟକଙ୍କୁ ପ୍ରାୟ ଅକେଇ ଘଣ୍ଟା ଲାଗିଥିଲା। ସେଦିନ ଥିଲା ୨୦୨୨ ଅକ୍ଟୋବର ୨୮ ତାରିଖ । ଶାଶୂଘର ଲୋକେ ରଶ୍ମିତାଙ୍କ ଉପରେ କେରୋସିନ୍ ଢାଳି ହତ୍ୟା ଉଦ୍ୟମ କରିଥିବା ନେଇ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ ରଶ୍ମିତାଙ୍କ ବାପା । ରଶ୍ମିତା ଓ ତାଙ୍କ ବାପା ନ୍ୟାୟ ଭିକ୍ଷା କରୁଥିବା ବେଳେ କୋର୍ଟ ଉପରେ ସଂମ୍ପୁଣ୍ଣ ଭରଷା ଥିବା କହିଛନ୍ତି ରଶ୍ମିତାଙ୍କ ବାପା। ଗୋଟେ ପରଝିଅକୁ ଆଣି ତାକୁ ଏମିତି ଜୀବନରୁ ମାରିଦେବାକୁ ଉଦ୍ୟମ କରିବା କଣ ଠିକ୍ ? ଆପଣ କୁହନ୍ତୁ ଏଭଳି ଲୋକମାନେ କଣ ଦଣ୍ଡ ପାଇବା ଦରକାର ।





