ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ବାହାଡ଼ାଝୋଲା-ସୁନାମୁଁହି ରାସ୍ତା ଉନ୍ନତୀକରଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୬ କୋଟି ୪୫ ଲକ୍ଷ ବ୍ୟୟ ଅଟକଳରେ ରୁପାନ୍ତରିତ ହେବାକୁ ଥିବା ଏହି ୧୦ କି.ମି ରାସ୍ତା ବିକାଶର ପ୍ରତୀକ ହେବ ବୋଲି କୁହାଯାଇଛି।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସୁନାମୁଁହି କଲ୍ୟାଣମଣ୍ଡପ ନିକଟରେ ଏହି ରାସ୍ତା ଶିଳାନ୍ୟାସ ଫଳକକୁ ଉନ୍ମୋଚନ କରିଥିଲେ।ଏହି ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ବିଧାୟକ ଡ଼ ସାହୁ ଅତୀତ ଦିନର ସ୍ମୃତିକୁ ମନେ ପକାଇବା ସହ ଓଡ଼ଗାଁ ବିକାଶରେ ରାସ୍ତାଘାଟ ଉନ୍ନତୀକରଣ ମୁଖ୍ୟ ମାଧ୍ୟମ ପାଲଟିଥିବା କହିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକାଳରେ ଲୋକଙ୍କୁ ଦୁଆରକୁ ସୁବିଧା ଯାଉଛି।ବିଗତ ଦିନରେ ସୁନାମୁଁହି ପଞ୍ଚାୟତର ବିଭିନ୍ନ ଗାଁ ଗାଁ ମଧ୍ୟରେ ଥିବା ଅପନ୍ତରିଆ ରାସ୍ତା ଓ ନାଳ ଯାତାୟାତରେ ବାଧକ ସାଜୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନ କାଳରେ ସୁନାମୁଁହି, ବାଲିସିଂଶା, ଖଙ୍ଗାରପଲ୍ଲୀ, ଲଣ୍ଡାବାଦୁ-କୁରାଳ ବାଗ୍ଦେବୀ ଦେଇ ପକ୍କା ରାସ୍ତା ନିର୍ମାଣ ହୋଇଛି।ସୁନାମୁଁହି ହାଇସ୍କୁଲ ୫ଟିରେ ରୂପାନ୍ତରିତ ହେବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ନବକଳେବର କାର୍ୟ୍ୟ ଚାଲୁରହିଛି।ମାଆଙ୍କ ବିନା ସମାଜର ଅଗ୍ରଗତି ଅସମ୍ଭବ।
ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ୟ୍ୟକ୍ରମ ଜରିଆରେ ମାଆମାନେ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।ଅନ୍ୟପକ୍ଷେ ମୋ ବିରୁଦ୍ଧରେ ଅପପ୍ରଚାର ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଥିବାବେଳେ ନୟାଗଡ଼ବାସୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସୁଚାରୁରୂପେ ସମ୍ପାଦନ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ।ଏହି ସଭାରେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ନୟାଗଡ଼ ବିଧାୟକଙ୍କୁ ନୟାଗଡ଼ ବିକାଶର ବିନ୍ଧାଣୀ କହିବା ସହ ଅରୁଣଙ୍କ ନିଆରା ଢ଼ଙ୍ଗ ଓ ନିଜସ୍ୱ ଶୈଳୀରେ କାର୍ୟ୍ୟଧାରା ଯୋଗୁଁ ନୟାଗଡର ଅଭୁତପୂର୍ବ ବିକାଶ ଘଟିଛି।ତେଣୁ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଓ ଅରୁଣଙ୍କୁ ୫ମ ଥର ବିଧାୟକରୂପେ ବାଛିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।ଠିକ ସେହିପରି ବିଜେଡି କର୍ମୀଙ୍କୁ ଚକଡ଼ା ପୋକ ହୋଇ ପଦ୍ମଫୁଲ କ୍ଷେତ ଓ ପଙ୍କକୁ ନଷ୍ଟ କରିବା ପାଇଁ ଆହ୍ୱାନ ଦେଇଥିଲେ।ବ୍ଲକ ବିଜେଡି ସଭାପତି ସୁର୍ୟ୍ୟନାରାୟଣ ଚୌଧୁରୀ ଆଗାମୀ ନିର୍ବାଚନରେ ୪୦ ହଜାରରୁ ଅଧିକ ଭୋଟରେ ଅରୁଣ ଜିତିବେ ବୋଲି ଭବିଷ୍ୟବାଣୀ କରିଥିଲେ।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ବିଜେଡି ଶାସନରେ ଶାନ୍ତି ଓ ପ୍ରଗତି ପ୍ରତିଷ୍ଠା ହୋଇଛି ବୋଲି କହିଥିଲେ। ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ସରପଞ୍ଚ ରୀନା ନାଏକ,ସୁନିତା ବାରିକ, ଶ୍ୱେତାଲିନା ମିଶ୍ର,ମିନତୀ କୁମାରୀ ପ୍ରଧାନ,ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ,ଦୀପିକା ସେଠୀ,ବିଜନ ପାଇକରାୟ,ପବିତ୍ର କୁମାର ସାହୁ,ସସ୍ମିତା ପାତ୍ର,ପାୟଲ କୁମାରୀ ପ୍ରଧାନ,ଗାୟତ୍ରୀ ରାଉତ,ମିନତୀ ସେଠୀ ସମିତି ସଭ୍ୟା କନକ ପାତ୍ର,ଝୁନୁ ସେଠୀ,ମାନସୀ ବେହେରା,ଝୁନୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ନିତ୍ୟାନନ୍ଦ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ମାନସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।






