ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଂଚୟତକୁ ୫ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ସରପଂଚ । ଏନେଇ ସରପଂଚ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ଯାଏଁ ସମସ୍ତଙ୍କୁ ଅବଗତ କରିଛନ୍ତି । ସୂଚନାନୁସାରେ, ବାହାଡ଼ଝୋଲାରୁ ୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଅଂଚଳରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ସରପଂଚ ଏଭଳି ପଦକ୍ଷେପ ନେଇଥିବା ବେଳେ ଲୋକଙ୍କୁ ୫ ଦିନ ଭିତରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ଉପରେ ଦୃଷ୍ଟି ରଖିବାକୁ ସେ ନୂଆଗାଁ ଥାନା ପୁଲିସ ଏବଂ ବାହାଡ଼ଝୋଲା ଫାଣ୍ଡିକୁ ମଧ୍ୟ ଅବଗତ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ, ନୟାଗଡ଼ ଜିଲ୍ଲା ସର୍ବପୁରାତନ ସାପ୍ତାହିକ ହାଟ ଭାବେ ପରିଚିତ ନିୟଂତ୍ରିତ ବଜାର କମିଟି ବାହାଡ଼ାଝୋଲା ଦ୍ୱାରା ପରିଚାଳିତ ବାହାଡ଼ାଝୋଲା ହାଟଛକରୁ ଗତ ରବିବାର ଦିନ ୧୨୯ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଆସିଥିବା ୧୨୬ଟି ସ୍ୱାବ ରିପୋର୍ଟ ମଧ୍ୟରୁ ୮ଟି ପଜେଟିଭ ଚିହ୍ନଟ ହୋଇଥିଲା । ପୂର୍ବରୁ ମଧ୍ୟ ଏହି ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହାଟଛକରେ ଥିବା ବସ୍ତ୍ରାଳୟର ମାଲିକ ସଂକ୍ରମିତଙ୍କ ସମ୍ପର୍କୀୟ ହୋଇଥିବାରୁ ଉକ୍ତ ବସ୍ତ୍ରାଳୟକୁ ପ୍ରଶାସନ ଦ୍ୱାରା ସିଲ କରାଯାଇଛି ।





