ପୁରୀ, (ବାଘୁଆବାର୍ତ୍ତା): ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ । ସାମାନ୍ୟ କଥାକୁ କେନ୍ଦ୍ରକରି ତିନି ଜଣ ଯୁବକଙ୍କୁ ମଙ୍ଗଳାଘାଟ ନିକଟରେ ଥିବା ଆପାର୍ଟମେଣ୍ଟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ । ଗୁରୁତର ହୋଇଥିବା ଯୁବକମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକମାନେ ହେଉଛନ୍ତି ଚନ୍ଦନପୁରର ସାଗର ବେହେରା, ପ୍ରକାଶ ସାହୁ ଓ ତାଙ୍କ ଭାଇ ଅବିନାଶ ସାହୁ । ଦୁର୍ବୃତ୍ତଙ୍କ ଆକ୍ରମଣରେ ତିନି ଜଣ ଯୁବକଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଛି । ତେବେ ଆକ୍ରମଣ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣ କରିଥିବା ଗୋଷ୍ଠୀର ଜଣେ ଯୁବକ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।





