ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ଚାନ୍ଦପୁର ଥାନା ସମ୍ମୁଖରେ ଆଜି ଏକ ମହିଳା ସଂଗଠନ ଧାରଣା ଦେଇଛନ୍ତି । ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସର ଟାଳଟୁଳ ନୀତି ପାଇଁ ମହିଳା ସଂଗଠନ ଧାରଣା ଦେଇଥିବା ଜଣାଯାଇଛି । ସୂଚନାନୁସାରେ, କିଛିଦିନ ତଳେ ମୟୁରଝାଲିଆ ଗ୍ରାମର ସଂଗ୍ରାମ କେଶରୀ ପ୍ରଧାନ ଏବଂ ତାଙ୍କ ପୁଅ ବିଜୟ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ପୂର୍ବ ଶତ୍ରତାକୁ କେନ୍ଦ୍ର କରି କରାଯାଇଥିବା ଏହି ଆକ୍ରମଣରେ ସଂଗ୍ରାମଙ୍କ ମୁଣ୍ଡ ଖପୁରୀ ୧୧ ଖଣ୍ଡ ହୋଇ ଯାଇଥିବା ବେଳେ ସେ ଭୂବନେଶ୍ୱରର ଏକ ହସ୍ପିଟାଲରେ କୋମା ଅବସ୍ଥାରେ ରହି ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ୨୧ ଦିନ ବିତିଥିବା ବେଳେ ପୁଲିସ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିବା ନେଇ ଅଭିଯୋଗ କରି ଆଜି ମହିଳା ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ପୂର୍ବରୁ ଏହି ଘଟଣାରେ ପରିବାର ସଦସ୍ୟ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି ।





