ଶରଣକୁଳ, (ବାଘୁଆବାର୍ତ୍ତା): ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ସରକାରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ୬୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେବିଫାଇନାଲ ଖେଳ ଜଗା ୟୁନାଇଟେଡ, ଭୁବନେଶ୍ୱର ସହିତ ୟୁନାଇଟେଡ ସ୍ପୋର୍ଟସ କ୍ଲବ, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁଇ ଦଳ ୨-୨ ଗୋଲ ସ୍କୋର କରି ଖେଳକୁ ଅମିମାଂସିତ ସ୍ତରରେ ରଖିବା ହେତୁ ଟାଇ ବ୍ରେକରରେ ଜଗା ୟୁନାଇଟେଡ, ଭୁବନେଶ୍ୱର ୫-୩ ଗୋଲରେ ୟୁନାଇଟେଡ ସ୍ପୋର୍ଟସ କ୍ଳବ, ବରଗଡ଼କୁ ପରାସ୍ତ କରି ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧ ଆରମ୍ଭର ୩ ମିନିଟ୍ରେ ଜଗା ୟୁନାଇଟେଡ, ଭୁବନେଶ୍ୱର ଦଳର ୧୭ନଂ ଜର୍ସି ଶ୍ରୀନାଥ ମହାନ୍ତି ପ୍ରଥମ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଖେଳର ପ୍ରଥମାର୍ଦ୍ଦ ଅତ୍ୟନ୍ତ ଚିତାକର୍ଷକ ଓ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ଖେଳ ଶେଷ ସୁଦ୍ଧା ଜଗା ୟୁନାଇଟେଡ, ଭୁବନେଶ୍ୱର ୧-୦ ଗୋଲରେ ଅଗ୍ରଣୀ ରହିଥିଲା । ସେହିପରି ଦ୍ୱିତୀୟାର୍ଦ୍ଧ ଖେଳର ୮ ମିନିଟ୍ରେ ଜଗା ୟୁନାଇଟେଡ, ଭୁବନେଶ୍ୱର ଦଳର ୪ ନଂ ଜର୍ସି ଫଗୁ ହେମ୍ବ୍ରେମ୍ ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ ରଖିଥିଲେ । ୟୁନାଇଟେଡ ସ୍ପୋର୍ଟସ କ୍ଲବ, ବରଗଡ଼ ଦଳକୁ ବରାବର ସ୍ଥିତିକୁ ଆଣିବା ନିମନ୍ତେ ଲଗାତାର ଆକ୍ରମରାତ୍ମକ ଖେଳ ପ୍ରଦର୍ଶନ କରି ଖେଳର ୧୩ ମିନିଟ୍ରେ ବରଗଡ଼ର ୧୭ ନଂ ଜର୍ସି ଖେଳାଳି ଚନ୍ଦନ ମୁର୍ମୁ ଗୋଲ ସ୍କୋର କରି ଦଳକ ୨-୧ ସ୍ଥିତିକୁ ଆଣି ବିଜୟ ଆଶାକୁ ଉଜ୍ଜିବିତ କରିଥିଲେ । ଖେଳର ଶେଷ ମୁହୁର୍ତରେ ବରଗଡ଼ର ୧୯ ନଂ ଜର୍ସି ରାଜୁ ବେହେରା ଗୋଲ ସ୍କୋର କରି ଦଳକୁ ୨-୨ ସ୍ଥିତିରେ ରଖି ଆଜିର ଖେଳକୁ ଅମିମାଂସିତ ରଖିଥିଲେ ।
ଆଜି ଖେଳର ଅମିମାଂସିତ ଫଳାଫଳ ଯୋଗୁଁ ମୁଖ୍ୟ ରେଫରୀ ଟାଇ ବ୍ରେକର ପଦ୍ଧତିର ସହାୟତା ନେଇଥିଲେ । ଟାଇ ବ୍ରେକରରେ ଜଗା ୟୁନାଇଟେଡ, ଭୁବନେଶ୍ୱର ୫ଟି ଗୋଲ ସ୍କୋର ଓ ୟୁନାଇଟେଡ ସ୍ପୋର୍ଟସ କ୍ଲବ, ବରଗଡ଼ ୩ଟି ଗୋଲ ସ୍କୋର କରିବା ଯୋଗୁଁ ଜଗା ୟୁଯାଇଟେଡ, ଭୁବନେଶ୍ୱର ୫-୩ ରେ ବିଜୟୀ ହୋଇଥିଲା । ଆଜିର ଖେଳରେ ଅତିଥି ରୂପେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ନୟାଗଡ଼ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ସୁବାଷ ଚନ୍ଦ୍ର କଅଁର ଓ ସରୋଜ କୁମାର ରଣସିଂ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ, ସମ୍ବଲପୁର ନାରାୟଣ ନାୟକ, ସମାଜସେବୀ ବିଭୁଦତ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ ଓ ପ୍ରଫୁଲ୍ଲ କୁମାର ନାଏକ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜଗା ୟୁନାଇଟେଡ, ଭୁବନେଶ୍ୱର ଦଳର ୪ ନଂ ଜର୍ସି ଫଗୁ ହେମ୍ବ୍ରେମ୍ଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ସହ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା । ଦୁଇଟି ଗୋଲ ପରିଶୋଧ କରି ଦଳକୁ ବରାବର ସ୍ଥିତିକୁ ନେବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଘୋଷଣା କରିଥିବା ୫ ହଜାର ଟଙ୍କା ରାଶିକୁ ୟୁନାଇଟେଡ ସ୍ପୋର୍ଟସ କ୍ଲବ, ବରଗଡ଼ ଦଳକୁ ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ଜ୍ୟୋତି ରଞ୍ଜନ ସ୍ୱାଇଁ, ସଚ୍ଚିକାନ୍ତ ଦାସିଆ, ପ୍ରସନ୍ନ ନାୟକ ଲାଇନରେ ସହାୟତା କରିଥିଲେ । ଆସନ୍ତାକାଲିର ଦ୍ୱିତୀୟ ସେମିଫାଇନାଲ ଖେଳ ୟୁନାଇଟେଡ ଏଫସି, ଗଣ୍ଡରପୁର ବନାମ ଏ.ଜି. ରିକ୍ରେସନ କ୍ଳବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।






