ନୂଆପଡା, (ବାଘୁଆବାର୍ତ୍ତା): ପ୍ରେମିକ ଘରୁ ଉଦ୍ଧାର ହେଲା ନାବାଳିକା ପ୍ରେମିକାଙ୍କ ମୃତଦେହ । ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକେ । ନୂଆପଡା ଜିଲ୍ଲା ବେଲଟୁକୁରୀ ଥାନା ବିଶୋରା ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିବା ଜଣେ ନାବାଳିକା ନିଜ ଗାଁ ବିଶୋରାର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରଖି ଆସିଥିଲେ । ଉଭୟ ଉଭୟଙ୍କ ଘରକୁ ମଧ୍ୟ ଯିବା ଆସିବା କରନ୍ତି । ତେବେ ଭୋର ସମୟରେ ଯୁବକଙ୍କ ଘରୁ ନାବାଳିକାକୁ ଆସି ନେଇଯିବା ପାଇଁ ଖବର ପାଇବା ପରେ ନାବାଳିକାଙ୍କ ଘର ଲୋକେ ଯୁବକ ଘରକୁ ଯାଇଥିଲେ । ହେଲେ ସେତିକି ବେଳେ ନାବାଳିକା ଖଟରେ ମୃତ ଅବସ୍ଥାରେ ପଡିଥିଲେ । ଗୋଟିଏ ପଟେ ନାବାଳିକା ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା କଥା କହିବା ସହ ଆତ୍ମହତ୍ୟା କରିଥିବା କହୁଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ଭିତରେ ବଚସା ହେବା ପରେ ନାବାଳିକାକୁ ହତ୍ୟା କରାଯାଇଛି ବୋଲି ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ଘଟଣାସ୍ଥଳରେ ନୂଆପଡା ଏସଡିପିଓ ପହଞ୍ଚି ତଦନ୍ତ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ।





