ଅହମ୍ମଦାବାଦ, (ବାଘୁଆବାର୍ତ୍ତା): ପୁରା ବିଶ୍ଵକପରେ ଦବଦବା ବଜାୟ ରଖି ଆସିଥିବା ଭାରତୀୟ ଦଳ ଫାଇନାଲ୍ରେ ଚାପର ବଶବର୍ତ୍ତୀ ହୋଇଛି। ଯେଉଁ ବ୍ୟାଟରମାନେ ଚୌକା ଓ ଛକା ବର୍ଷା କରୁଥିଲେ ଆଜି ମନ୍ଥର ପିଚ୍ରେ ବ୍ୟାଟ୍ ଶାନ୍ତ ଦେଖିବାକୁ ମିଳିଛି। ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୦ ରନରେ ଶେଷ ବଲ୍ରେ ଅଲଆଉଟ୍ ହୋଇଛି। କେଏଲ ରାହୁଲ ୬୬ ରନର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୫୪ ରନ ଓ ଅଧିନାୟକ ରୋହିତ ଶର୍ମା ୪୭ ରନ କରିଛନ୍ତି। ତୃତୀୟ ଥର ବିଶ୍ଵକପ୍ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୩୯ ରନ ଭିତରେ ରୋକିବାକୁ ହେବ। ଏବେ ଭାରତକୁ କେବଳ ବୋଲର ଭରସା। ଅନ୍ୟପଟେ ଅଷ୍ଟ୍ରେଲିଆ ଷଷ୍ଠ ଥର ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମିଚେଲ୍ ଷ୍ଟାର୍କ ପାଟ୍ କମିନ୍ସ ୩ଟି ଓ୍ଵିକେଟ୍ ନେଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ୩୦ ରନ ଯୋଡ଼ିଥିଲେ। ହେଲେ ଗିଲ୍ ଫାଇନାଲ୍ ପରି ବଡ଼ ମୁକାବିଲାରେ ୪ ରନ କରି ଆଉଟ୍ ହୋଇଥିଲେ। ସେ ଘରୋଇ ପିଚ୍ର ଫାଇଦା ଉଠାଇ ପାରି ନ ଥିଲେ। ଅନ୍ୟପଟେ ରୋହିତ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ରୋହିତ ଓ ବିରାଟ ଦ୍ଵିତୀୟ ଓ୍ଵିକେଟ୍ ଭାଗିଦାରୀରେ ୪୬ ରନ ଯୋଡ଼ିଥିଲେ। ୭୬ ରନ ସ୍କୋରରେ ଭାରତକୁ ବଡ଼ ଝଟକା ଲାଗିଥିଲା। ରୋହିତ ଶର୍ମା ୩୧ ବଲ୍ରୁ ୪ ଚୌକା ଓ ୩ ଛକା ସହ ୪୭ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର(୪) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଷ୍ଟ୍ରେଲିଆ ବୋଲର ମାପଚୁପ ବୋଲିଂ କରି ଭାରତର ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। କୋହଲି ଓ କେଏଲ ରାହୁଲ ଧୈର୍ୟ୍ୟ ସହ ବ୍ୟାଟିଂ କରି ଏକ ଏକ ରନ ନେଇ ପାଳିକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ିଥିଲେ। ବିରାଟ କୋହଲି ପୁଣି ଆଉ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ୬୩ ବଲ୍ରୁ ୪ ଚୌକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ଭାରତକୁ ଶକ୍ତ ଝଟକା ଲାଗିଥିଲା। ରବୀନ୍ଦ୍ର ଜାଡ଼େଜା ୯ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ କେଏଲ ରାହୁଲ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ଲାଗୁଥିଲା ରାହୁଲ ଶତକ ଆଡ଼କୁ ଅଗ୍ରସର ହେବେ। ହେଲେ ୨୦୩ ରନ ସ୍କୋରରେ ରାହୁଲ ଆଉଟ୍ ହୋଇଥିଲେ। ସେ ୧୦୭ ବଲ୍ରୁ ୧ ଚୌକା ସହ ୬୬ ରନ କରିଥିଲେ। ମହମ୍ମଦ ଶାମି(୬) ଓ ଯଶପ୍ରୀତ ବୁମରା(୧) ଆଉଟ୍ ହୋଇଥିଲେ। ସୂର୍ୟ୍ୟକୁମାର ଯାଦବ କ୍ରିଜରେ ଜମି ରହିଥିଲେ ହେଁ ହାତଖୋଲା ସଟ୍ ଖେଳି ପାରି ନଥିଲେ। ସୂର୍ୟ୍ୟକୁମାର ବହୁ କଷ୍ଟରେ ୧୮ ରନ କରିଥିଲେ। ଶେଷରେ ଭାରତ ୨୪୦ ରନ କରି ପାରିଛି। ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବୋଲର ଶାଣିତ ବୋଲିଂ କରି ଭାରତକୁ ଚାପରେ ରଖିବାରେ ସଫଳ ହୋଇଛନ୍ତି। ମିଚେଲ୍ ଷ୍ଟାର୍କ ସର୍ବାଧିକ ୫୫ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ଜୋସ୍ ହେଜେଲଉଡ ୫୯ ରନ ଦେଇ ୨ଟି ଓ ପାଟ୍ କମିନ୍ସ ୧୦ ଓଭରରେ ମାତ୍ର ୩୪ ରନ ଦେଇ ୨ଟି ଓ୍ଵିକେଟ୍ ସଫଳତା ପାଇଛନ୍ତି।






