ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ଜିଲ୍ଲାରୁ ଦୁଇଟି ନାବାଳିକା ବିବାହକୁ ବନ୍ଦ କରାଯାଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ଜଣେ ନାବାଳିକା ବିବାହ କରିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଚାଇଲ୍ଡ ଲାଇନ୍ ଏବଂ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ସ୍ଥାନୀୟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ନାବାଳିକାର ପରିବାର ବିବାହ ବନ୍ଦ କରିବାକୁ ଏକ ଲିଖିତ ପ୍ରତିଶୃତି ଦେଇଛନ୍ତି । ଏହି ନାବାଳିକାଙ୍କ ସହ ପାଣ୍ଡେରିପଡ଼ା ଗ୍ରାମର ଜଣେ ଯୁବକଙ୍କ ସହିତ ବିବାହ ହେବାକୁ ସ୍ଥିର କରାଯାଇଥିଲା । ଓଡ଼ଗାଁ ବ୍ଲକ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଲହଡ଼ିମାଳା ପ୍ରଧାନଙ୍କ ସମେତ ଚାଇଲ୍ଡ ଲାଇନ ସଦସ୍ୟମାନେ ସାମିଲ ହୋଇଥିଲେ । ସେହିଭଳି ନୟାଗଡ଼ ଇଟାମାଟି ଥାନା ଅଂଚଳର ଜଣେ ନାବାଳିକା ସହ ନୟାଗଡ଼ ଟାଉନଥାନା ଅନ୍ତର୍ଗତ କଇଥଗାଡ଼ିଆ ଗ୍ରାମର ପରିବା ବ୍ୟବସାୟୀ ମନୋରଂଜନ ମହାନ୍ତିଙ୍କ ସହ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ଇଟାମାଟି ପୁଲିସ ଏବଂ ଆସିଡିଏସ୍ କର୍ମଚାରୀଙ୍କ ସହାୟତାରେ ଚାଇଲ୍ଡ ଲାଇନ ପକ୍ଷରୁ ବନ୍ଦ କରାଯାଇଥିବା ଜଣାଯାଇଛି । ନାବାଳିକା ଜଣଙ୍କୁ ତାଙ୍କ ଭଉଣୀ ଘରେ କିଛିଦିନ ହେବ ରଖାଯାଇ ଆସନ୍ତା କାଲି ବିବାହ କରିବା ନେଇ ପ୍ରସ୍ତୁତି ଚାଲିଥିଲା । ଏହାକୁ ଆଜି ଚାଇଲ୍ଡ ଲାଇନ ଏବଂ ଆସିଡିଏସ୍ ପକ୍ଷରୁ ରୋକାଯିବାକୁ ଚେଷ୍ଟା କରାଯାଇଥିବା ବେଳେ ଲୁଚାଛପାରେ ବିବାହ କରିବାକୁ ଆଶଙ୍କା କରି ନାବାଳିକାକୁ ଉଦ୍ଧାର କରଯାଇ ସିଡବ୍ଲ୍ୟୁସିରେ ହାଜର କରାଯାଇଛି । ଚାଇଲ୍ଡ ଲାଇନ ସଦସ୍ୟ ସଂଜୟ କୁମାର ସାହୁ, ସୁଜାତା ବେହେରା ପ୍ରମୂଖ ନାବାଳିକା ବିବାହ ବନ୍ଦ କରିବାରେ ପ୍ରମୂଖ ଅଂଶ ଗ୍ରହଣ କରିଥିବା ଜଣାଯାଇଛି ।





