ସ୍ୱାଧିନତାର ୭୨ ବର୍ଷ ପରେ ବି ସମସ୍ୟା ସୁଧୁରି ନାହିଁ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନେକ ଗ୍ରାମ ଏବେ ବି ଅପହଂଚ ଇଲାକା ଭାବେ ପରିଗଣିତ ହେଇଛି । ଅନେକ ଗ୍ରାମକୁ ସବୁ ଦିନିଆ ରାସ୍ତା ନଥିବା କାରଣରୁ ଅଂଚଳର ବିକାଶ ବହୁ ପଛରେ ପଡ଼ିଛି । ଅଦିବାସୀ ଅଧୁଷିତ ଅଂଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହା ସଠିକ ଭାବେ କାର୍ଯ୍ୟକ୍ଷମ ହେଇ ପାରୁନଥିବାରୁ ଦୁଦ୍ଦର୍ଶା ଭୋଗୁଛନ୍ତି ଲୋକେ । ସୂଚନାନୁସାରେ, ଦଶପଲ୍ଲା ବ୍ଲକର ବୃତଙ୍ଗ ନଦୀ ଅପର ପାଶ୍ୱର୍ରେ ଥିବା ୧୧ରୁ ଉର୍ଦ୍ଧ୍ୱ ଗାଁ ଦୀର୍ଘ ବର୍ଷ ହେବ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । ସରକାର ଏହି ଅଂଚଳର ବିକାଶ ପାଇଁ ପୋଲ ଓ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ନହୋଇ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଠିକାସଂସ୍ଥା ତରଫରୁ ବୃତଙ୍ଗ ନଦୀରେ ନିର୍ମାଣ କରାଯାଇଥିବା ଆପ୍ରୋଚ ରୋଡ଼ ବର୍ଷା ପାଣିରେ ଧୋଇଯିବା ଫଳରେ ଆବଶ୍ୟକୟୀ ଦ୍ରବ୍ୟ ପାଇଁ ଅଚଂଳ ବାସୀ ଅଣ୍ଟେ ପାଣିରେ ପଶି ନଦୀ ପାର ହେଉଥିବା ଦୃଶ୍ୟ ଦେଖାଯାଇଛି । ବୃତଙ୍ଗ ନଦୀ ଏକ ଖରସ୍ରୋତା ନଦୀ ହୋଇଥିବାରୁ କେତେବେଳେ ଯେ, ଅଘଟଣ ଘଟିବ ତାହା କହି ହେଉ ନାହିଁ । କେବଳ ଏତିକି ନୁହେଁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ନଦୀ ଅପର ପାଶ୍ୱର୍ରେ ରହିଥିବା ଗୋଚ୍ଛାବାରୀ, ସାତପଡ଼ା, ଉପରଢିକିରି, ଉପରବିଡ଼ା, ତଳବିଡ଼ା ଭଳି ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପୋଲ ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।






