ନୟାଗଡ଼,(ବାଘୁଆବାର୍ତ୍ତା): ଶତାଧିକ ମୟୁରଙ୍କ ଆବସ ସ୍ଥଳୀ ପାଲଟିଛି ଦଶପଲ୍ଲା ବ୍ଲକର ସାତପୁରୀ ପାହାଡ଼ । ଏଥିସହିତ ନିକଟବର୍ତ୍ତୀ ଜାମୁସାହି ଏବଂ ଗମ୍ଭାରିମୁଣ୍ଡା ଗାଁ ସେମାନଙ୍କ ପାଇଁ ବିଚରଣ ସ୍ଥଳୀ ପାଲଟିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଦଶପଲ୍ଲା ବନାଞ୍ଚଳ କୁଲୁରୁକୁମ୍ପା ପଂଚାୟତର ଗମ୍ଭାରିମୁଣ୍ଡା ଗାଁ ନିକଟରେ ତଥା ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥର ବାମପାଶ୍ୱର୍ରେ ରହିଛି ସାତପୁରୀ ପାହାଡ଼ । ଏହି ପାହାଡ଼ରେ ଶତାଧିକ ମୟୁର କେଉଁ କାଳରୁ ବାସ କରୁଥିବା ବେଳେ ଏମାନେ ନିକଟବର୍ତ୍ତୀ ଗମ୍ଭାରିମୁଣ୍ଡା ଏବଂ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଟାକେରା ପଂଚାୟତର ଜାମୁସାହି ଗ୍ରାମ ନିକଟରେ ବିଚରଣ କରୁଛନ୍ତି । ମୟୁରମାନେ ଅନେକ ସମୟରେ ଜାତୀୟ ରାଜପଥ ଉପରକୁ ଚାଲି ଆସି ପଥଚାରୀଙ୍କ ମନମୋହୁଥିବା ବେଳେ ବର୍ଷା ଆଗମନରେ ସେମାନଙ୍କ ନୃତ୍ୟ ମନମୁଗ୍ଧକର ପରିବେଶ ସୃଷ୍ଟି କରୁଥିବା ଗ୍ରାମବାସୀମାନେ ମତ ଦେଉଛନ୍ତି । ଦୁଇ ଦୁଇଟି ବନଖଣ୍ଡ ଡିଭିଜନ ଅଂଚଳରେ ଚଳପ୍ରଚଳ ତଥା ବସବାସ କରୁଥିବା ଏହି ମୟୁରମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କିମ୍ବା କୈାଣସି ଆକର୍ଷଣିୟ ଯୋଜନା ପ୍ରସ୍ତୁତ କରାଯାଇ ନାହିଁ । କେବଳ ମୟୁରମାନଙ୍କ ସୁରକ୍ଷାକୁ ଗ୍ରାମବାସୀମାନେ ନଜର ଦେଉଥିବା ବେଳେ ଏଥିପାଇଁ ମଧ୍ୟ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଇ ନାହିଁ । ମୟୁରମାନଙ୍କଠାରୁ ଝଡ଼ି ପଡ଼ୁଥିବା ପୁଚ୍ଛକୁ ଗ୍ରାମବାସୀ ବିଭିନ୍ନ ସମୟରେ ସଂଗ୍ରହ କରୁଥିବା ବେଳେ ଏଥିପ୍ରତି କାହାର କୈାଣସି ଆନ୍ତରିକତା ନଥିବା ଜଣାଯାଇଛି ।

ଦୁଇ ଦୁଇଟି ବନାଞ୍ଚଳ ଇଲାକାରେ ବିଚରଣ କରୁଥିବା ଆମ ଦେଶର ଜାତୀୟ ପକ୍ଷୀଙ୍କ ସୁରକ୍ଷା ପାଇଁ ମଧ୍ୟ କୈାଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଅନେକ ସମୟରେ ଜାତୀୟ ରାଜପଥ ଉପରକୁ ରାତିରେ ଚାଲି ଆସୁଥିବା ମୟୁରଙ୍କ ମୃତ୍ୟୁ ଘଟୁଥିବା ଗ୍ରାମବାସୀ କହିଛନ୍ତି । ଜିଲ୍ଲାରେ ବାଘ, କୁମ୍ଭୀର ଓ ହରିଣଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସାତକୋଶିଆ ଗଣ୍ଡରେ କୁମ୍ଭୀର ଏବଂ ଅଭ୍ୟାରଣ୍ୟରେ ବାଘଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ କୁଆଁରିଆ ନିକଟସ୍ଥ ହରିଣ ପାର୍କ ଏହି ବିଭାଗ ଅଧିନରେ ଆସୁଛି । ମାତ୍ର ବିଭାଗ ପକ୍ଷରୁ ମୟୁରଙ୍କ ପାଇଁ କୈାଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ସାତପୁରୀ ପାହାଡ଼ରେ ବାସ କରୁଥିବା ମୟୁରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଏପରିକି ମୁଦୁଲି ଗାଡ଼ିଆ ଭଳି ଏହାକୁ ଇକୋ ଟୁରିଜିମ୍ ମାନ୍ୟତା କିମ୍ବା ମୟୁର ଆଶ୍ରୟସ୍ଥଳି ଘୋଷଣା କରାଯିବାକୁ ଅଂଚଳବାସୀ ଦାବି କରିଛନ୍ତି । ଏନେଇ ବାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ ଅଧିକାରୀଙ୍କ ସହ ଆଲୋଚନା ବେଳେ ଜାମୁସାହି ତାଙ୍କ ଇଲାକାରେ ଆସୁଥିବା ବେଳେ ଗମ୍ଭାରିମୁଣ୍ଡା ଦଶପଲ୍ଲା ବନାଞ୍ଚଳ ଇଲାକାରେ ଆସୁଛି । ଏଣୁ ଏନେଇ କୈାଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା କହିଛନ୍ତି ।





