ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନାମୀ ଦାମୀ ଓଡ଼ିଆ ସିଙ୍ଗର ଦେବେସ ପତି ଗିରଫ । ଲଭ ସେକ୍ସ ଧୋକା ଅଭିଯୋଗ ରେ ଗିରଫ କରିଛି ନୟାପଲି ଥାନା ପୋଲିସ । ଲଚକ୍ ମଣି ବେବି ଲୋ । ବୟଫ୍ରେଣ୍ଡ ତୋରା ହେବି ଲୋ । ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି । ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା ଖାଉଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଟଙ୍କା ଲୁଟିବା ଅଭିଯୋଗରେ ନୂଆପଲ୍ଳୀ ଥାନା ପୋଲିସ୍ ଓଲିଉଡ୍ର ଏହି ଚର୍ଚ୍ଚିତ ଗାୟକଙ୍କୁ ଗିରଫ କରିଛି । ଦେବେଶଙ୍କ ଘର ଯାଜପୁରରେ । ଗତ ବୁଧବାର ରାତିରେ ପୋଲିସ୍ ତାକୁ ଗିରଫ କରିଛି । ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରହି ମୈତ୍ରିବିହାରରେ ଥିବା ଏକ ଘରୋଇ କଲେଜରେ ଏମ୍ବିଏ ପଢ଼ୁଥିଲେ । ସେତେବେଳେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ଏହାକୁ ଗ୍ରହଣ କରିନଥିଲେ । ପ୍ରେମରେ ବିଫଳ ଉକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ ନେହାଙ୍କ ଫୋନ ନମ୍ବର ଦେବେଶଙ୍କୁ ଦେଇଥିଲେ । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ଦେବେଶଙ୍କୁ ପ୍ରସ୍ତାବ ଦେଇଥିଲେ । ଓଲିଉଡର ଚାକଚକ୍ୟ, ସୁପର ହିଟ ସିଙ୍ଗର ଟ୍ୟାଗ୍ ଯୁବତୀଙ୍କୁ ଦେବେଶଙ୍କ ପ୍ରତି ଆକର୍ଷିତ କରିଥିଲା । ଫୋନ ନମ୍ବର ଦିଆନିଆ, କିଛିଦିନର ଚାଟିଂ ପରେ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ପ୍ରେମର ଗାଡ଼ି ଜୋର୍ରେ ଗଡିବା ପରେ ବିବାହ ପାଇଁ ଜିଦ ଧରିଥିଲେ ଯୁବତୀ ଜଣଙ୍କ । ଦେବେଶ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଖାଲି ସେତିକି ନୁହେଁ, ବିଭିନ୍ନ ପର୍ଯ୍ୟାୟରେ ଦେବେଶ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ହଠାତ୍ ଦିନେ ଯୁବତୀ ଜାଣିବାକୁ ପାଇଲେ ଦେବେଶ ଓଲିଉଡ୍ର ଜଣେ ଗାୟିକାଙ୍କୁ ଭଲ ପାଉଛନ୍ତି । ତାଙ୍କ ସହ ବୁଲାବୁଲି କରୁଛନ୍ତି । ତେବେ ଏହା ଭିତରେ ଯୁବତୀ ଗର୍ଭବତୀ ହୋଇସାରିଥିଲେ । ଦେବେଶ ଏ ବିଷୟରେ ଜାଣିବା ପରେ ଗର୍ଭନଷ୍ଟ କରିବାକୁ କହିଥିଲେ । ହେଲେ ସେ ରାଜି ହୋଇ ନଥିଲେ । ଦେବେଶ ମଉକା ଦେଖି ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଯୁବତୀ । ଏହା ପରେ ସେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ । ମାତ୍ର ନଛୋଡବନ୍ଦା ସେ ବିବାହ ପାଇଁ ଜିଦ ଧରିବାରୁ ଦେବେଶ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଏଭଳି ଧମକରେ କିଛି ଦିନ ଚୁପ୍ ରହିଥିଲେ ଯୁବତୀ । ମାତ୍ର ଏଭଳି ପ୍ରତାରକକୁ ଉଚିତ ଶିକ୍ଷା ଦେବାକୁ ପଣ କରି ପରେ ସେ ନୂଆପଲ୍ଳୀ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ଏକ ମାମଲା (୧୦୩/୨୩) ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଗୁରୁବାର ଅଭିଯୁକ୍ତ ଦେବେଶଙ୍କୁ ପୋଲିସ୍ ଗିରଫ କରିଛି ।





