ଜଗତସିଂହପୁର, (ବାଘୁଆବାର୍ତ୍ତା): ମଧ୍ୟାହ୍ନରେ ଅପହୃତ ହୋଇଥିବା ୩ ବର୍ଷର ଶିଶୁପୁତ୍ରକୁ ଅପରାହ୍ନରେ ଉଦ୍ଧାର କଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଳମ୍ବିତ ରାତିରେ ନିକଟସ୍ଥ ଓହଳ ଗାଁରୁ ଉଦ୍ଧାର କରିବା ସହ ଅପହରଣକାରିଣୀ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ସଦର ଥାନା ପୋଲିସ । ତେବେ ଏହି ମାଷ୍ଟର ମାଇଣ୍ଡ କିଏ ଜାଣିଛନ୍ତି କି, ସେ ହେଉଛନ୍ତି ନିଜେ ମାଉସୀ । ଅଭିଯୁକ୍ତ ମାଉସୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । କହିବାକୁ ଗଲେ ମଧ୍ୟାହ୍ନରେ ଫିଲ୍ମ ଷ୍ଟାଇଲରେ ଜଣେ ୩ ବର୍ଷର ଶିଶୁପୁତ୍ରକୁ ଅପହରଣ କରାଯାଇଥିଲା । ମଧ୍ୟାହ୍ନ ସମୟରେ ଜଗତସିଂହପୁର ସଦର ଥାନା ଅଁଳା ପଞ୍ଚାୟତ, ମଙ୍ଗଳପୁର ଗାଁର ଫାରୁଖ ଖାନଙ୍କ ୩ ବର୍ଷର ପୁଅ କାଦିର ଘର ଆଗରେ ଅନ୍ୟ ଜଣେ ଶିଶୁ ସହ ଖେଳୁଥିବା ବେଳେ ଏକ ଅଜଣା କାରରେ କେହି ଦୁଇ ଜଣ ଯୁବକ ଆସି ଘର ଆଗରେ ଗାଡି ରଖିବା ସହ ଶିଶୁଟିକୁ ଅପହରଣ କରି ନେଇ ଯାଇଥିଲେ । ଏହି ବାବଦରେ ପରିବାର ଲୋକେ ଜଗତସିଂହପୁର ଥାନାରେ ଏତାଲା ଦେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ରାତିରେ ଓହଳ ଗାଁରୁ ଶିଶୁଟିକୁ ତାର ମାଉସୀ ଘରୁ ଉଦ୍ଧାର କରିଛି । ଶିଶୁଟିକୁ ଉଦ୍ଧାର କରିବା ପରେ ପୋଲିସ ତାକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତା ମାଉସୀ ରୁକ୍ସାନା ବେଗମ ଓ ତାର ଅନ୍ୟ ଦୁଇ ସହଯୋଗୀ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ନିଜର ମାଉସୀ ଶିଶୁଟିକୁ କାହିଁକି ଅପହରଣ କରିଥିଲା ତାହା ସ୍ପଷ୍ଟ ହୋଇ ପାରିନଥିବା ବେଳେ ୪ ଲକ୍ଷ ଟଙ୍କାରେ କେହି ଜଣେ ବ୍ୟକ୍ତିଙ୍କୁ ଶିଶୁପୁତ୍ରଟିକୁ ବିକ୍ରି କରିବା ପାଇଁ ମୂଲ ଚାଲ ହୋଇଥିବାର ଆଲୋଚନା ହେଉଛି ।





