ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ପୂର୍ବରୁ ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ କରୋନା ଆକ୍ରାନ୍ତଙ୍କୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣଙ୍କୁ ପ୍ରଥମ ଥର ପାଇଁ ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟରକୁ ପଠାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚାନ୍ଦପୁରଠାରେ ଥିବା ବସନ୍ତ ମଂଜରୀ ଟିବି ଚିକିତ୍ସାଳୟକୁ କୋଭିଡ୍ ହେଲ୍ଥ ସେଣ୍ଟରରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଜିଠାରୁ ଏଠାରେ କରୋନା ଚିକିତ୍ସା କରାଯିବ ବୋଲି ଜଣାଯାଇଛି । ଏହି ଚିକିତ୍ସାଳୟରେ ଅନେକ ଉନ୍ନତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଇସିୟୁ ଏବଂ ଭେଣ୍ଟିଲେଟ୍ର ସୁବିଧା ମଧ୍ୟ ଉପଲବ୍ଧ ହୋଇଛି । ଆବଶ୍ୟକ ପଡ଼ିଲେ ଚାନ୍ଦପୁରରୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତରଣ କରାଯିବାର ସୁବିଧା ମଧ୍ୟ କରାଯାଇଛି । ଜିଲ୍ଲାପାଳ ଆଜି ଚାନ୍ଦପୁର ଗ୍ରସ୍ତ କରି କୋଭିଡ୍ ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ସଂମ୍ପର୍କରେ ଆଲୋଚନା କରିଛନ୍ତି ।







