ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ପଛଘୁଞ୍ଚା ନଦେଇ ଜନସେବା କରିବା ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ, ସରପଂଚ, ସମିତିସଭ୍ୟଙ୍କୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆହ୍ୱାନ ଦେଇଛନ୍ତି । ଭିଡିଓ କଲିଂ ମାଧ୍ୟମରେ ଏକ ଘଣ୍ଟା ଧରି ହୋଇଥିବା ଏହି ଆଲୋଚନାରେ ମନ୍ତ୍ରୀ ସ୍ଥାନୀୟ ଲୋକମାନଙ୍କୁ ନେତା ଭାବରେ ନୁହେଁ ସମାଜସେବୀ ଭାବେ କରୋନା ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କ ଆର୍ଶୀବାଦରେ ନିର୍ବାଚିତ ହୋଇ ସେମାନଙ୍କର ଆସ୍ଥା କିଭଳି ଅତୁଟ ରଖି ପାରିବ ଏବଂ ଲୋକଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇପାରିବ ସେ ନେଇ ମନ୍ତ୍ରୀ ଉପଦେଶ ଦେଇଛନ୍ତି । ସାଧାରଣ ସମୟରେ ଯେପରି ଲୋକଙ୍କ ନିକଟତ୍ତର ହୋଇ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା, ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଉଥିଲେ ଠିକ ସେହିଭଳି କରୋନା ପରିସ୍ଥିତିରେ ଲୋକଙ୍କ ପାଇଁ, ଲୋକଙ୍କର ହୋଇ ଏବଂ ସମାଜର ଉନ୍ନତୀ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ କାମ କରିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ କରୋନା ନିୟମକୁ ମାନିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ନୟାଗଡ଼ ଜିଲ୍ଲାରେ କରୋନା ଦୁଇ ଶହ ଟପିଥିବା ବେଳେ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବେ ଚିନ୍ତା ବଢ଼ାଇଛି । ଏହା କିପରି ଗୋଷ୍ଠୀ ସଂକ୍ରମଣ ଋପ ନନେବ, ସେ ନେଇ ନେତାମାନେ ପ୍ରଶାସନ ସହ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବାକୁ ମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଦିନ ଲୋକଙ୍କ ସହିତ ଟେଲିଫୋନ ମାଧ୍ୟମରେ କିମ୍ବା ଭିଡିଓ କଲିଂ ମାଧ୍ୟମରେ ଯୋଗସୁତ୍ର ଜାରି ରଖିବା ପାଇଁ ମରାମର୍ଶ ଦେଇଛନ୍ତି । ମହାମାରୀ ଭଳି ଅସମୟରେ ଲୋକଙ୍କ ପାଇଁ କାର୍ଯ୍ୟ କରିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।





