ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରଶାସନିକ ଉଦାସୀନତା ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁଁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲଦାରଙ୍କ ସରକାରୀ ବାସଭବନ ଏବେ ଭୂତକୋଠିରେ ପରିଣତ ହୋଇଛି । ଏକଦା ଉକ୍ତ ବାସଭବନର ଉନ୍ନତିକରଣ ନିମନ୍ତେ ପୂର୍ତବିଭାଗ ଜରିଆରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିବା ବେଳେ ସମୟ ସହ ତାଳ ଦେଇ ତାହା ଲୀନ ହେବାକୁ ବସିଛି । ଉକ୍ତ ସଭବନରେ କେହି ତହସିଲଦାର ନରହିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ସାମଗ୍ରୀ ଯଥା ଲୁହାଗ୍ରୀଲ, କବାଟ ଆଦି ସବୁ କିଛି ଲୁଟି ନେଇ ସାରିଛନ୍ତି । ବାସଭବନର ସମ୍ମୁଖ ଭାଗ ଓ ପଛପାଶ୍ୱର୍ ଅନାବନା ଗଛଲତାରେ ଭର୍ତ୍ତୀ ହୋଇଥିବା ବେଳେ ବାସଭବନ ମଧ୍ୟରେ ବିଷଧର ସରିସୃପ ବାସ କରୁଛନ୍ତି । ଖଣ୍ଡପଡ଼ା ସହରର ୧ନଂ ୱାର୍ଡ଼ ସ୍ଥିତ ଏହି ସରକାରୀ ବାସଭବନଟି ରାଜରାଜୁଡ଼ା ଅମଳରୁ ନିର୍ମାଣ କରାଯାଇଥିଲା । ମାତ୍ର ଖଣ୍ଡପଡ଼ା ତହସିଲ ପ୍ରଶାସନର ଅଣଦେଖା ଯୋଗୁଁ ବାସଭବନଟି ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । ଏହାର ରକ୍ଷଣାବେକ୍ଷଣ କରି ବ୍ୟବହାର କରିବା ପାଇଁ ଅଂଚଳ ବାସୀ ଦାବି କରିଛନ୍ତି ।






