ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସଂସଦରେ କୋଶ୍ଚିନ ଫର କ୍ୱୋରୀ ପ୍ରସଙ୍ଗକୁ ନେଇ ଓଡିଶାରେ ତେଜିଛି ରାଜନୀତି । ବିଜେପି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଅଭିଯୋଗକୁ ଖଣ୍ଡନ କରିବା ସହ ଦୁର୍ଭାଗ୍ୟଜନକ ବୋଲି କହି ଚେତାବନୀ ଦେଇଛନ୍ତି । ଯାହାର ପାଲଟା ଜବାବ ରଖିଛି ବିଜେପି । ସଂସଦରେ କୋଶ୍ଚିନ ଫର କ୍ୱୋରୀ ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପ୍ରେସ୍ ରିଲିଜ ଜାରି କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରେସ ରିଲିଜରେ କହିଛନ୍ତି, ‘ସର୍ବସାଧାରଣରେ ଉପଲବ୍ଧ ଥିବା ଏକ କୁତ୍ସିତ ଏବଂ ପ୍ରମାଣିତ ହୋଇନଥିବା କିଛି ଅଭିଯୋଗ ଆଧାରରେ ଓଡିଶା ବିଜେପି ମୋ ଉପରେ ଆକ୍ରମଣ କରି ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସିଧାସଳଖ କୋର୍ଟ ଜରିଆରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଗମ୍ଭୀରତାର ସହ ଚିନ୍ତା କରୁଛି ଏବଂ ଏହି ନିଷ୍ପତି ସଠିକ୍ ସମୟରେ ନିହାତି ନେବି’ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ପ୍ରସଙ୍ଗରେ ପିନାକୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା ବିଜେପି । କହିଥିଲା, ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ଯାଇଥିବା ୨କୋଟି ଟଙ୍କା କାରବାରରେ ସେ ସମ୍ପୃକ୍ତ ଅଛନ୍ତି । ଯାହାର ଜବାବ ରଖିଛନ୍ତି ପିନାକୀ । ସାଂସଦ ପିନାକୀ ମିଶ୍ର ବିଜେପିକୁ ଆଇନଗତ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସତ କଣ ତାର ପ୍ରମାଣ ଦିଅନ୍ତୁ ପିନାକୀ । ସେହିପରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ତାଙ୍କ ନାଁ ଅଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ । ତେବେ ସଂସଦରେ କୋଶ୍ଚିନ ଫର କ୍ୱେରୀ ପ୍ରସଙ୍ଗରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଣେ ଓଡିଆ ସାଂସଦଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ପରେ ପ୍ରେସମିଟ୍ କରି ଅଭିଯୋଗ ଆଣିଥିଲା ବିଜେପି ।





