ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ନିଜର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏଥିପାଇଁ ବିଜେଡି ପକ୍ଷରୁ ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨ତାରିଖ, ଗାନ୍ଧୀ ଜୟନ୍ତୀଠାରୁ ବିଜେଡି ନିଜର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବା ବେଳେ ଏହା ଗତ ୧୧ ତାରିଖ ଅର୍ଥାତ୍ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏଁ ଚାଲିଥିଲା। ଏବେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଦଳର ଜନସମ୍ପର୍କ ପଦଯାତ୍ରା ଜାରି ରହିଛି। ଏହି କ୍ରମରେ ଦଳ ପକ୍ଷରୁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୨୬ ତାରିଖ ଯାଏଁ ଚାଲିବ। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେଡିର ନେତୃବୃନ୍ଦ ରାଜ୍ୟର ପ୍ରତିଟି ପରିବାର ନିକଟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତାକୁ ପହଞ୍ଚାଇବେ ବୋଲି ଜଣାପଡ଼ିଛି। ଏନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଅଧିକ ସୂଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ନିଜର ପରିବାର ବୋଲି ଅଭିହିତ କରି ଆସିଛନ୍ତି। ଲୋକଙ୍କ ସୁଖ, ଦୁଃଖରେ ପ୍ରତିଟି ମୂହୂର୍ତ୍ତରେ ସାମିଲ ହେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଯେପରି ପ୍ରତିଟି ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ଭାବଧାରାକୁ ନେଇ ଜନସମ୍ପର୍କ ଅଭିଯାନ ପ୍ରତିଟି ପରିବାର ସହ ଯୋଡ଼ିହେବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତିଟି ପରିବାର ସହ ଆହୁରି ନିକଟତର ହେବା ଏବଂ ଆମର ଲୋକାଭିମୁଖୀ ଯୋଜନା ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।





