ନୟାଗଡ଼, (ବାଘୁଆବାର୍ତ୍ତା) : ଗତ ୧୪ ତାରିଖରେ ଦଶପଲ୍ଲାର ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ ବାସ ଭବନରେ ଆକ୍ରମଣ ଘଟଣା ୩ ଜଣ ଥାନାରେ ଆତ୍ମ ସମର୍ପଣ କରି ପୁଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜାମିନ ମିଳିଥିବା ଜଣାଯାଇଛି । ସୂଚନାନୁସାରେ, ଦଶପଲ୍ଲା ବ୍ଲକ ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ କିଛିଦିନ ତଳେ ବଦଳି ହୋଇଥିଲା । ମାତ୍ର ସେ ତାଙ୍କ ଜିନିଷ ପତ୍ର ନେଇ ନଥିବାରୁ ଦଶପଲ୍ଲା ଛାଡ଼ି ନଥିଲେ । ସେଦିନ ବିଡିଓ ଘରେ ଖାଇ ବସିଥିବା ବେଳେ ବେଳେ କିଛି ବ୍ୟକ୍ତି ବିଡିଓଙ୍କ ଘର ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ଟେକା ପଥର ମାଡ଼ କରିବା ସହ ତାଙ୍କୁ ଅଶ୍ୱୀଳ ଭାଷାରେ ଗାଳି ଗୁଲଜ କରିଥିବା ବିଡିଓ ଅଭିଯୋଗ କରିଥିଲେ । ବିଡିଓ ଥାନାରେ ଅଭିଯୋଗ ଅନୁସାରେ, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ଗୁଗୁ ପଟ୍ଟନାୟକ, ଫକୀର ଚରଣ ଦଳେଇ, ରବିନ୍ଦ୍ର ସାହୁ, ସୁର୍ଯ୍ୟମଣୀ ଦାଶ, ଝୁନା ସିଂ, ସୁଧାକର ପ୍ରଧାନ, ଶୁଭମ୍ ପ୍ରସାଦ ବେହେରା, ଅଶ୍ୱୀନି ସାହୁଙ୍କ ନାମରେ ପୁଲିସ ୮୨/୨୦ରେ ୯ ଜଣଙ୍କ ନାମରେ ୧୪ଟି ଦଫାରେ ମାମଲା ରୁଜୁ କରିଥିଲା । ପୂର୍ବରୁ ଫକିର ଚରଣ ଦଳେଇ, ସୁଧାକର ପ୍ରଧାନ ଏବଂ ଅଶ୍ୱୀନ ସାହୁଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣ ହାଇକୋର୍ଟରୁ ଗତକାଲି ଜାମିନ ପାଇବା ପରେ ଆଜି ଦଶପଲ୍ଲା କୋର୍ଟରୁ ଜାମିନ ପାଇଥିବା ଜଣାଯାଇଛି ।




