ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଗତକାଲି ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ଘଟଣା ଘଟିଛି । ଏହି ଥାନା ଅନ୍ତର୍ଗତ ମଙ୍ଗଳାସାହିରେ ଗୋଟିଏ ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରାଯାଇଥିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଥିବା ବେଳେ ପୁଲିସ ଏହାକୁ ନେଇ ତନାଘନା ଚଳାଇଛି । ସୂଚନାନୁସାରେ, ମଙ୍ଗଳାସାହିତ ବାସନ୍ତି ବେହେରାଙ୍କ ଝିଅ କୁନି ବେହେରା ଝାନସୀରେ ବିବାହ କରିଥିଲେ । କିଛିଦିନ ତଳେ ଗାଁକୁ ଆସିଥିବା ବେଳେ ଲକ୍ଡାଉନ୍ ପାଇଁ ଫେରି ପାରିନଥିଲେ । ତାଙ୍କର ଦେଢ଼ବର୍ଷର ଝିଅ ପାୟଲ ଗତକାଲି ସବୁଦିନ ଭଳି ବାହାରେ ଖେଳୁଥିଲେ । ଦିନ ୨ଟା ବେଳକୁ ଘର ଲୋକେ ଝିଅକୁ ଦେଖିବାକୁ ପାଇନଥିଲେ । ଏନେଇ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଆସି ମଙ୍ଗଳାସାହିରେ ଖୋଜାଖୋଜି କରିଥିଲେ ମଧ୍ୟ ଘଟଣା ସଂମ୍ପର୍କରେ କିଛି ସନ୍ଧାନ କରି ପାରିନଥିଲା । ଗତକାଲି ବିଳମ୍ବିତ ରାତିରେ ପାୟଲର ଅଜା ବାରିପଟୁ ଯାଇଥିବା ବେଳେ ତାଙ୍କ ଗୋଡ଼ରେ ପାୟଲର ମୃତ ଦେହ ବାଜିଥିଲା । ଏନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି । ପୂର୍ବରୁ କିଛି ଜମିବାଡ଼ି ମାମଲାକୁ ନେଇ ମଙ୍ଗଳାସାହିର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରହିଥିବା ବେଳେ ପାୟଲକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।





