ଅହମ୍ମଦାବାଦ, (ବାଘୁଆବାର୍ତ୍ତା): ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ମୁକାବିଲାରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂରେ ପାକିସ୍ତାନ ବ୍ୟାଟର ଧରାଶାୟୀ ହୋଇଛନ୍ତି। ଉଭୟ ଦ୍ରୁତ ବୋଲିଂ ଓ ସ୍ପିନ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ପାକିସ୍ତାନ ୪୨.୫ ଓଭରରେ ୧୯୧ ରନରେ ଅଲଆଉଟ୍ ହୋଇଛି। ବିଶ୍ଵକପରେ କ୍ରମାଗତ ତୃତୀୟ ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୧୯୨ ରନର ସହଜ ବିଜୟ ଲକ୍ଷ୍ୟ। ପାକିସ୍ତାନ ପକ୍ଷରୁ ଅଧିନାୟକ ବାବର ଆଜମ ୫୦ ଓ ମହମ୍ମଦ ରିଜଓ୍ଵାନ ୪୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଏକଦା ୨ ଓ୍ଵିକେଟ୍ ହରାଇ ୧୫୫ ରନ କରିଥିବା ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୦୦ ରନ ବି କରି ପାରିନାହିଁ। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଦୁଇ ଓପନର ଅବଦୁଲ୍ଲା ଶଫିକ ଓ ଇମାମ ଉଲ ହକ ପ୍ରଥମ ଓ୍ଵିକେଟ୍ରେ ୪୧ ରନ ଯୋଡ଼ିଥିଲେ। ସଫିକ(୨୦)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। କ୍ରିଜରେ ଜମି ଆସୁଥିବା ଇମାମ ଉଲ ହକ୍ ୩୬ ରନ କରି ଆଉଟ୍ ହୋଇଥିଲେ। ୭୩ ରନରେ ଦୁଇ ଓପନରଙ୍କ ଆଉଟ୍ ପରେ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜଓ୍ଵାନ ଦଳର ଇନିଂସ ସମ୍ଭାଳି ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ିଥିଲେ। ବାବର ଆଜମ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ନିଜ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ସେ ୫୮ ବଲ୍ରୁ ୭ ଚୌକା ସହ ୫୦ ରନ କରିଥିଲେ। ଏହି ଯୋଡ଼ି ଭାଙ୍ଗିବା ପରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଏକଦା ୨ ଓ୍ଵିକେଟ୍ ହରାଇ ୧୫୫ ରନ କରିଥିବା ପାକିସ୍ତାନ ୧୬ ରନରେ ୫ ଓ୍ଵିକେଟ୍ ହରାଇଥିଲା। ମହମ୍ମଦ ରିଜଓ୍ଵାନ ୪୯ ରନ କରି ବିଦାୟ ନେଇଥିଲେ। ଏହା ପରେ ପାକିସ୍ତାନର ନିମ୍ନକ୍ରମ ବ୍ୟାଟର ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ। ବିଶେଷ କରି ଯଶପ୍ରୀତ ବୁମରା କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ଓ୍ଵିକେଟ୍ ନେବା ସହ ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଶେଷରେ ପାକିସ୍ତାନ ୪୨.୫ ଓଭରରେ ୧୯୧ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ବୋଲିଂରେ ଯଶପ୍ରୀତ ବୁମରା ୧୯ ରନ ଦେଇ ୨ଟି ଓ୍ଵିକେଟ୍, କୁଲଦୀପ ଯାଦବ ୧୦ ଓଭରରେ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। ସେହିପରି ରବୀନ୍ଦ୍ର ଜାଡ଼େଜା ୩୮ ରନ ଦେଇ ୨ ଓ ମହମ୍ମଦ ସିରାଜ ୫୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।






