ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ ଅନେକ ଲୋକଙ୍କ ପାଇଁ ଦୁଃଖର ଅସରନ୍ତି ପାହାଡ଼ ସୃଷ୍ଟି କରିଛି । ନୟାଗଡ଼ ସହରର ଔଷଧ ବ୍ୟବସାୟୀ ସୁଧାଂଶୁ କୁମାର ପ୍ରଧାନଙ୍କର କରୋନା ପାଇଁ ମୃତ୍ୟୁ ଘଟିଛି । ଯାହାକୁ ନେଇ ନୟାଗଡ଼ ସହରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନାନୁସାରେ, ଶ୍ରୀଯୁକ୍ତ ପ୍ରଧାନଙ୍କର ସ୍ଥାନୀୟ ଅମରେନ୍ଦ୍ର ବଜାରରେ ଏକ ଔଷଧ ଦୋକାନ ରହିଥିବା ବେଳେ ସେ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଅକାଳ ବିୟୋଗରେ ସହରର ଔଷଧ ବ୍ୟବସାୟୀଙ୍କ ସମେତ ଜିଲ୍ଲାର ସମସ୍ତ ଔଷଧ ବ୍ୟବସାୟୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଏହି ଅବସରରେ ନୟାଗଡ଼ ତ୍ରିନାଥ ମନ୍ଦିରଠାରେ ଅବସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂଘ ତରଫରୁ ତାଙ୍କ ଅମର ଆତ୍ମାର ସତଗତି କାମନା କରାଯାଇଛି । ଏଥିସହିତ ଜିଲ୍ଲାର ବିଭିନ୍ନ ଜୋନ୍ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିବା ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ସୂଚନା ଦେଇଛନ୍ତି । ସଂଘର ସଭାପତି ପ୍ରହଲ୍ଲାଦ ସାହୁ, ବଂଶୀଧର ସାହୁ, ପରମାନନ୍ଦ ପ୍ରଧାନ ପ୍ରଧାନ ସମେତ ଅନେକ ସଦସ୍ୟ ଶୋକବ୍ୟକ୍ତ କରିଛନ୍ତି ।





