ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଯୁବତୀ ରବିବାର ଆତ୍ମହତ୍ୟା କରିବା ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବୋଦାପଡ଼ା ଗ୍ରାମର ବାପୁନି ପରିଡ଼ା, ହାପିନ ପରିଡ଼ା, ଚିନୁ ପରିଡ଼ା। ଯୁବତୀ ଜଣଙ୍କ ହେଲେ କୁଳମଣୀ ରାଉତଙ୍କ ଝିଅ ସୋନାଲିକା ରାଉତ । ସୋନାଲିକା ଜଣେ ମେଧାବୀ ଛାତ୍ରୀ । ସେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ନିକଟସ୍ଥ ବୋଦାପଡ଼ା ଗ୍ରାମରର ନିରଞ୍ଜନ ଓରଫ ବାପିନ ପରିଡ଼ାଙ୍କ ସହ ବନ୍ଧୁତା କରିଥିଲେ । ଏହାର ସୁଯୋଗ ନେଇ ନିରଞ୍ଜନ ତାଙ୍କ ସହ ଅନେକ ଫଟୋ ଉଠାଇଥିଲେ ।
ଉକ୍ତ ଫଟୋକୁ ନେଇ ନିରଞ୍ଜନ ତାଙ୍କୁ ପ୍ରେମ କରିବା ପାଇଁ ନିବେଦନ କରୁଥିଲେ । ଏପରିକି ଫଟୋକୁ ଏଡିଂ କରି ତାଙ୍କୁ ବ୍ଲାକ ମେଲିଂ କରୁଥିଲେ । ସୋନାଲିକା ନିକଟରେ ପୋଷ୍ଟ ମାଷ୍ଟର ପାଇଁ ନିଯୁକ୍ତି ପାଇଥିଲେ । ଫଳରେ ନିରଞ୍ଜନ ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । ବିବାହ ପ୍ରସ୍ତାବରେ ସୋନାଲିକା ରାଜି ନହେବାରୁ ଏକ ତରଫା ଭଲ ପାଉଥିବା ନିରଞ୍ଜନ ଏକ ମାସ ହେଲା ସୋନାଲିକାଙ୍କୁ ବାରମ୍ବାର ଫୋନ କରି ବିଭିନ୍ନ ପ୍ରକାର ଧମକ ଦେବା ସହ ଫଟୋ ଦେଖାଇ ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ହୋଇଛି। ସେଦିନ ସକାଳୁ ନିରଞ୍ଜନ ସୋନାଲିକାଙ୍କୁ ବାରମ୍ବାର ଫୋନ କରି ଧମକ ଦେବାରୁ ନିର୍ଯ୍ୟାତନା ସହି ନପାରି ସୋନାଲିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଇଟାମାଟି ଥାନା ପୁଲିସ ସୋନାଲିକାଙ୍କ ମୃତଦେହକୁ ଜବତ୍ କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା । ଅଭିଯୁକ୍ତକୁ ୪ ଦିନ ମଧ୍ୟରେ ଗିରଫ ପାଇଁ ଏସପି ପ୍ରତିଶ୍ରୁତି ଦେଇଥିଲେ। ପୁଲିସ୍ ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରିଥିବା ନେଇ ଇଟାମାଟି ଥାନା ଅଧିକାରୀ ସୂଚନା ଦେଇଛନ୍ତି।





