ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ବକଳବନ୍ଧଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଅଟୋକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋରେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସୂଚନାନୁସାରେ, ଆଜି ମହୀପୁର ନିକଟସ୍ଥ ଥୁଆବାରୀ ଗ୍ରାମରୁ ଲୋକନାଥ ସାହୁ ଏବଂ ତାଙ୍କ ସ୍ତ୍ରୀ ପ୍ରମିଳା ସାହୁଙ୍କ ଏକ ଅଟୋ ସାହାର୍ଯ୍ୟରେ ଭୂବନେଶ୍ୱର ଯାଉଥିଲେ । ସେମାନେ ଗାଁରୁ ବାହାରି ବକଳବନ୍ଧ ନିକଟରେ ପହଂଚିଥିବା ବେଳେ ପଶ୍ଚିମବଙ୍ଗରୁ ଛତିଶଗଡ଼ ଅଭିମୂଖେ ଯାଉଥିବା ଏକ ଆଇଚର୍ ଟ୍ରକ ଦ୍ରୁତ ଗତିରେ ଆସି ସାମନା ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଟୋ ଚାଳକ ସଂଗ୍ରାମ ମହାପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରମିଳା ଏବଂ ଲୋକନାଥଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଖବରପାଇ ନୟାଗଡ଼ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ତିନିଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ଡାକ୍ତର ଅଟୋ ଚାଳକଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି । ଖବରପାଇ ନୟାଗଡ଼ ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାକୁ ନେଇ ବକଳବନ୍ଧଠାରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି ।





