ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଜଣେ ସୁପରଭାଇଜରଙ୍କୁ ଖଣ୍ଡାରେ ହାଣି ଲୁଟ୍ପାଟ ମାମଲାରେ ଖଣ୍ଡଗିରି ଥାନା ପୁଲିସ ସାଢ଼େ ୪ ବର୍ଷ ପରେ ଅଭିଯୁକ୍ତ ପୁଲିସ ପୁଅ ବୁବୁକୁ ଗିରଫ କରିଛି । ଗଣ୍ଡମୁଣ୍ଡା ତାଳବଣିଆରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବୁବୁ ଓରଫ ଦେବୀପ୍ରସାଦ ଜେନା ଓ ତା’ ସହଯୋଗୀ ପୋଖରୀପୁଟର ସନିଆ ଓରଫ ସନାତନ ବେହେରାକୁ ମଧ୍ୟ ପୁଲିସ ଗିରଫ କରିଛି । ୨୦୧୯ ଫେବ୍ରୁଆରୀ ୧୨ ବିଳମ୍ବିତ ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଟିକେଟ କାଉଣ୍ଟରରେ ସୁପରଭାଇଜର ଥିବା ବରମୁଣ୍ଡାର ସହଦେବ ରାଉତରାୟଙ୍କୁ ବୁବୁ ଓ ସନିଆ ଅଟକାଇ ଖଣ୍ଡା ଓ ଲୁହା ରଡ୍ରେ ଆକ୍ରମଣ କରି ୧୨ ହଜାର ୫୦୦ ଟଙ୍କା ଓ ସୁନାଚେନ୍ ଲୁଟି ନେଇଥିଲେ । ସହଦେବ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ତେବେ ବୁବୁ ଓ ସହଯୋଗୀ ଫେରାର ହୋଇଯାଇଥିଲେ । ଶୁକ୍ରବାର ରାତିରେ ଜାଗମରା ରାସ୍ତାରେ ବୁବୁ ଓ ସନିଆ ଖଣ୍ଡାଧରି ବୁଲୁଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା । ବୁବୁ ନାମରେ କମିଶନରେଟ୍ ପୁଲିସରେ ଦେଢ଼ ଡଜନ ମାମଲା ଥିବା ଜଣାପଡ଼ିଛି । ତା’ ନାମରେ ଖଣ୍ଡଗିରି ଥାନାରେ ୮ଟି ମାମଲା ଥିବାବେଳେ ନୂଆପଲ୍ଲୀରେ ୪ଟି, ଖାରବେଳନଗର, ଚନ୍ଦ୍ରଶେଖରପୁର ଓ ଅନ୍ୟାନ୍ୟ ଥାନା ମିଶାଇ ସମୁଦାୟ ୧୮ଟି ମାମଲା ଅଛି । ବୁବୁ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ତା’ ବିରୋଧରେ ସିଆରପିସି ଧାରା-୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ପୁଲିସ କୁହିଛି । ଶନିବାର ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଛି ।





