ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଜିଲ୍ଲାରେ ବାହ୍ୟ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢ଼ିଛି । ନୟାଗଡ଼ ସହରରେ ସୁନା ବ୍ୟବସାୟୀଙ୍କ ପରିବାରର ୭ ଜଣ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସେପଟେ ଓଡ଼ଗାଁ ବ୍ଲକ ସୁନାମୁହିଁରୁ ଜଣେ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ଅଂଚଳରେ ଭୟ ସୃଷ୍ଟି କରିଛି । ସୂଚନାନୁସାରେ, ସୁନାମୁହିଁର ଜଣେ ୪୨ ବର୍ଷିୟ ବ୍ୟକ୍ତି ପୂର୍ବରୁ ବିଭିନ୍ନ ରୋଗରେ ପିଡ଼ିତ ଥିଲେ । କିଛିଦିନ ହେବ ସେ ବିଭିନ୍ନ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କୁ ଭୂବନେଶ୍ୱର ସମ୍ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବା ବେଳେ ତାଙ୍କର ଜ୍ୱର ଲାଗି ରହିଥିବା ଦେଖା ଯାଇଥିଲା । ଯାହାକୁ ନେଇ ତାଙ୍କର କରୋନା ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏନେଇ ଜିଲ୍ଲାକୁ ସୂଚନା ଆସିବା ପରେ ତାଙ୍କ ପରିବାରର ୩ ଜଣ ସଦସ୍ୟ ଏବଂ ତାଙ୍କ ଶ୍ୱଶୁର ଘର ପରିବାରର ୩ ଜଣ ସଦସ୍ୟଙ୍କୁ କୁରାଳ ସଂଗରୋଧରେ ରଖାଯାଇଛି । ଅନ୍ୟପକ୍ଷେ ସଂପୃକ୍ତ ଅଂଚଳକୁ ମଧ୍ୟ ବିଶୋଧନ କରାଯାଇଛି । ଜିଲ୍ଲାରେ ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୪୦ରେ ପଂହଚିଥିବା ଜଣାଯାଇଛି ।






