ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାଂଗଠନିକ ବୈଠକ ଆଜି ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥିତିକୁ ସ୍ପଷ୍ଟ କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଉପସଭାପତି ପଦରୁ ବହିଷ୍କୃତ କରିଥିବା ବେଳେ ସୈାମ୍ୟ ରଞ୍ଜନଙ୍କୁ ଆଜି କର୍ମୀମାନେ ମଧ୍ୟ ଦୂରେଇ ଦେଇଛନ୍ତି । ଫତେଗଡ଼ଠାରେ ଅନୁଷ୍ଠିତ ସାଂଗଠନିକ ସଭାରେ ସୈାମ୍ୟ ରଞ୍ଜନ ନୁହଁନ୍ତି, ଆମେ ବିଜୁ ଜନତା ଦଳ ସହ ରହିବୁ ବୋଲି ଆଜି ନେତା ଓ କର୍ମୀ କହିଛନ୍ତି । ଏନେଇ କର୍ମୀମାନେ ଲିଖିତ ଭାବେ ବିଜୁ ଜନତା ଦଳ ସଭାପତିଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ପଞ୍ଚାୟତରୁ ଶହ ଶହ ଦସ୍ତଖତ ସଂଗ୍ରହ କରୁଥିବା ଦେଖାଯାଇଛି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଥରେ କଂଗ୍ରେସ ଓ ଥରେ ଆମ ଓଡ଼ିଶା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନରେ ସୈାମ୍ୟ ପରାସ୍ତ ହୋଇଥିଲେ । ଆମ ଓଡ଼ିଶା ଦଳର ଚିହ୍ନ ମାଠିଆ ୨୦୧୪ ମସିହା ନିର୍ବାଚନରେ ଖାତା ଖୋଲି ପାରିନଥିଲା । ଯାହାକୁ ନେଇ ବିତସ୍ପୃହ ସୈାମ୍ୟ ୨୦୧୮ ମସିହାରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଆମ ଓଡ଼ିଶା ଦଳ ମାଠିଆକୁ ଭାଙ୍ଗି ସେ ବିଜେଡି ଶଙ୍ଖ ଚିହ୍ନରେ ବିଲୀନ କରିଥିଲେ । ସ୍ୱାଭିମାନର ଆଳ ଦେଖାଇ ସୈାମ୍ୟ ଖଣ୍ଡପଡ଼ା ତଥା ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ବେଳେ ବିଜୁ ଜନତା ଦଳର ଶରଣାପର୍ଣ୍ଣ ହୋଇଥିଲେ । ବିଜେଡି ତାଙ୍କୁ ରାଜ୍ୟସଭା ଓ ପରେ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରି ଉପଯୁକ୍ତ ସମ୍ମାନ ଦେଇଥିଲା । ସୈାମ୍ୟ ଖଣ୍ଡପଡ଼ା ବିଧାନସଭା ଆସନରୁ ୨୦୧୯ ନିର୍ବାଚନରେ ୧ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ପାଇଥିଲେ । ଭୋଟ ବ୍ୟବଧାନ ୧ ଲକ୍ଷରୁ ଉର୍ଦ୍ଧ୍ୱ ରହିଥିଲା । ସୈାମ୍ୟ ସେତିକିରେ ସନ୍ତୁଷ୍ଟ ନହୋଇ ମନ୍ତ୍ରୀ ପଦ ଲାଳସାରେ ସାଢ଼େ ୪ ବର୍ଷ କାଟି ଦେଇଥିଲେ । ଏହି ସମୟରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଅଣଦେଖା କରିଥିଲା । ଯାହାର ପରିମାଣ ଆଜି ସେ ଭୋଗିବାକୁ ଯାଉଛନ୍ତି । ବିଜୁ ଜନତା ଦଳ, ସରକାରଙ୍କୁ ସମାଲୋଚନା କରି ସୈାମ୍ୟ ନିଜ ଗୋଡ଼ରେ କୁରାଡ଼ି ମାରିଥିବା ବେଳେ ଆଜି ତାଙ୍କୁ କର୍ମୀମାନେ ମଧ୍ୟ ପର କରିଛନ୍ତି । ସୈାମ୍ୟଙ୍କ ସହ ନୁହେଁ, ଆମେ ଦଳ ସହ ରହିବୁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । କର୍ମୀ ତାଙ୍କ ପର କରିବା ପରେ ସୈାମ୍ୟ କଣ କରିବେ ବୋଲି ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି । ମାଠିଆ ଭାଙ୍ଗି ସାରିଥିବା ବେଳେ ସୈାମ୍ୟଙ୍କ ଆଗାମୀ ଆଭିମୁଖ୍ୟ କଣ ହେବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । କିଛି କର୍ମୀ ଓ ନେତା ତାଙ୍କୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ପଶିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଆଗାମୀ ଦିନରେ ଖଣ୍ଡପଡ଼ା ରାଜନୀତି କେଉଁ ମୋଡ଼ ନେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଜିଲ୍ଲାରେ ସୈାମ୍ୟଙ୍କୁ ଅନ୍ୟ କୈାଣସି ସାହାର ମିଳୁନଥିବା ବେଳେ କଂଗ୍ରେସ ପକ୍ଷରୁ ଭିତିରିଆ ସମର୍ଥନ ରହିଥିବା ନେଇ ଆଲୋଚନା ହେଉଛି । ଏହା ସ୍ପଷ୍ଟ ହୋଇନଥିବା ବେଳେ ଜିଲ୍ଲା ରାଜନୀତିରେ ସୈାମ୍ୟଙ୍କ ସ୍ଥିତି ରହିବ ନାଁ ଛାରଖାର ହେବ, ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।





