ନୟାଗଡ଼, (ବାଘୁଆବାର୍ତ୍ତା): ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବେ ବିଚଳିତ ହୋଇ ପଡିଛନ୍ତି । ତାଙ୍କର ଉଦ୍ଭଟ କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତାଙ୍କର ଏବେ ଚୈତନ୍ୟ ଉଦୟ ହୋଇଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟ ସଭାକୁ ପଠାଇଲେ । ଖଣ୍ଡପଡା ମାଟିର ସେବା କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ହେବା ପାଇଁ ଅନୁରୋଧ କଲେ । ମୁଖ୍ୟମନ୍ତ୍ରୀ ବିଜେଡି ଟିକେଟ ଦେବା ପରେ ସେ ବହୁ ଭୋଟରେ ବିଧାୟକ ହେଲେ । ବହୁ ଥର ହାରିଲା ପରେ ସେ ବିଜୁ ଜନତା ଦଳରୁ ଟିକେଟ ପାଇ ନିର୍ବାଚିତ ହେଲେ । ମାଟି ଓ ପାର୍ଟିର କଥା କହୁଥିବା ସୌମ୍ୟ ବାବୁ ୪ ବର୍ଷ ୩ ମାସ ମଧ୍ୟରେ ସେ ମାଟି ପାଇଁ କଣ କାମ କରିଛନ୍ତି ଓ ପାର୍ଟି ପାଇଁ କଣ କାମ କରିଛନ୍ତି ଏହାର ଜବାବ ସେ ନିଜେ ଦିଅନ୍ତୁ । ସେ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ମାଟି ଆଗ ନା ପାର୍ଟି ଆଗ ଏହାର ଉତ୍ତର ଖଣ୍ଡପଡା ବାସି ଦେବେ । ଖଣ୍ଡପଡାରେ ବିଧାୟକ ହେବା ପରେ ସେ କେତେ ମାଟି ପାଇଁ କାମ କରିଛନ୍ତି ଏହା ଖଣ୍ଡପଡା ବାସି କହିବେ । ଯିଏ ମାଟିର କାମ କରିନି ସେ ପାର୍ଟିର କିପରି କାମ କରିବ । ସମାଜ ସେବା ବହୁ ଦୁରରେ । କ୍ଷମତାର ଲାଳସା ମଣିଷକୁ ପଥ ଭ୍ରଷ୍ଟ କରେ । ସେ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ଏହା ସଫଳ ନହେବାରୁ ସେ ପାର୍ଟିକୁ ବ୍ଲାକମେଲ କରୁଛନ୍ତି । ଆଗାମୀ ଦିନରେ ଖଣ୍ଡପଡା ବାସୀ ଏହାର ଉଚିତ ଜବାବ ଦେବେ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।





