ରାଉରକେଲା, (ବାଘୁଆବାର୍ତ୍ତା): ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଆୟୁଷ ଡ଼ାକ୍ତର ଦୁଷ୍କର୍ମର ଶିକାର ହୋଇଥିବା ୧୭ ବର୍ଷ ବୟସ୍କା ନାବାଳିକାଙ୍କର ବେଆଇନ ଭାବରେ ଗର୍ଭନଷ୍ଟ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳର ଜଣେ ନାବାଳିକା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଥିବା ତାଙ୍କର ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ସ୍କୁଲ ଯିବା ସମୟରେ ସେହି ଅଞ୍ଚଳର ଯୁବକ ତାଙ୍କୁ ଏକୁଟିଆ ଥିବା ସୁଯୋଗ ନେଇ ବାରମ୍ବାର ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ କଥା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ଏହା ଭିତରେ ନାବାଳିକା ୪ ମାସର ଗର୍ଭବତୀ ହୋଇଥିଲେ । ପରିବାର ଲୋକେ ଜାଣିବା ପରେ ଘଟଣା ଜଣା ପଡ଼ିଥିଲା । ନାବାଳିକାଙ୍କ ମା’ ଧରୁଆଡିହି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଗତ ୨୭ ତାରିଖରେ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ସାଲେପାଲି କୁମୁଟିଡିହି ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡ଼ାକ୍ତର ଗର୍ଭବତୀ ନାବାଳିକାଙ୍କୁ ମେଡିସିନ ଦେଇ ଗର୍ଭନଷ୍ଟ କରିଥିବା କଥା ପରିବାର ଲୋକେ ଜାଣିବା ପରେ ସଂପୃକ୍ତ ଆୟୁଷ ଡାକ୍ତରଙ୍କ ବିରୋଧରେ ପୀଡ଼ିତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ପୀଡ଼ିତା ନାବାଳିକାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାକୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।





