ବୌଦ୍ଧ, (ବାଘୁଆବାର୍ତ୍ତା): ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କଲା ଆଉ ଜଣ ସିକ୍ୟୁରିଟି ଗାର୍ଡ । ବୌଦ୍ଧ ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯାଇଛି । ମୃତକ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ ବୋଲି ଜଣାପଡିଛି । ଖୁଣ୍ଟିଆପଡ଼ା ଗାଁର ଅଭିଯୁକ୍ତ ଗାର୍ଡଙ୍କୁ ଗିରଫ କଲା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ବୌଦ୍ଧ ଆଦର୍ଶ ଥାନା ପୋଲିସର ତଦନ୍ତ ଆରମ୍ଭ । ବୌଦ୍ଧ ଥାନା ଯୋଗୀଭଗୋରା ଗାଁରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ୟ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ ହୋଇଥିଲେ । ଦିନ ସମୟରେ ଜଣେ ଏବଂ ରାତି ସମୟରେ ଜଣେ ସିକ୍ୟୁରିଟି ଭାବେ କାର୍ୟ୍ୟ କରୁଥିଲେ । ତେବେ ରବିବାର ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ଉଗ୍ରରୂପ ନେଇଥିଲା, ପରେ ଏହା ଏକ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା । ରବିବାର ହତ୍ୟାକାରୀ ଖୁଣ୍ଟିଆପଡ଼ା ଗାଁର ପ୍ରକାଶ ବେହେରାଙ୍କ ଦିନ ବେଳା ଡ୍ୟୁଟି ଥିବା ବେଳେ ରାତିରେ ମୃତକ ରଞ୍ଜନ ପ୍ରଧାନ ଡ୍ୟୁଟିଥିବା ସୂଚନା ମିଳିଛି । ତେବେ ଦୁହିଁଙ୍କ ମଧ୍ୟରେ ବଚସା ହୋଇ ହତ୍ୟାକାରୀ ଟାଙ୍ଗିଆରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ହତ୍ୟାକାରୀ ବସ୍ ଯୋଗେ ପୁରୁଣା କଟକ ଥାନାକୁ ଯାଇ ସେଠାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।





