ଘନେଇଲାଣି ରାଜନୀତି
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ଆଜି ଦଶପଲ୍ଲା ସହରରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଶାଳ ବାଇକ ଶୋଭାଯାତ୍ରା ଓ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ସଂଖ୍ୟାରେ ବାଇକ ଏବଂ ଅଟୋରେ ହଜାର ହଜାର ଲୋକ ବିଜେଡି ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ସମାନ ଭାବରେ ଦଶପଲ୍ଲା ସ୍ୱାଭିମାନ ମଞ୍ଚ ପକ୍ଷରୁ ନୟାଗଡ଼ ତ୍ରିନାଥ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମଞ୍ଚର ସମସ୍ତ ସଦସ୍ୟ ବିଜୁ ଜନତା ଦଳରେ ପୂର୍ବରୁ ରହି ଆସିଛନ୍ତି । ଆଗକୁ ମଧ୍ୟ ରହିବେ ବୋଲି କହିଥିଲେ । ଦଶପଲ୍ଲାରେ ବିଜେଡି କର୍ମୀଙ୍କୁ ଅଣଦେଖା ପାଇଁ ସ୍ୱାଭିମାନ ମଞ୍ଚ ଗଠନ ହୋଇଥିବା କହିଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରଦୋଷ ଜେନା । ସ୍ୱାଭିମାନ ମଞ୍ଚ ନିଜସ୍ୱ ଉଦ୍ୟମରେ ବିଜେଡି ସଂଗଠନକୁ ମଜୁବୁତ କରି ରଖିଛି । ଅଣଦେଖା କରାଯାଉଥିବା କର୍ମୀ ତଥା ନେତାଙ୍କୁ ବିଗତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ କରାଯାଇ ବିଜୟ କରାଯାଇଛି । ଦଶପଲ୍ଲାରେ ଦଳର ସଂଗଠନକୁ ମଜବୁତ୍ କରିବା ଏବଂ ଦଶପଲ୍ଲାକୁ ଆଗକୁ ନେବା ପାଇଁ ବିଜୁ ଜନତା ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରୁ ବୋଲି ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ଘୋଷଣା କରିଥିବାରୁ ଏହାକୁ ଆମେ ସ୍ୱାଗତ କରୁଛୁ ବୋଲି ସଦସ୍ୟମାନେ କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଦଶପଲ୍ଲା ପାଇଁ ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରୁ ବୋଲି ସେମାନେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୋଖରୀଗୋଚ୍ଛା ସମିତିସଭ୍ୟ ବାପୁଜୀ ସାହୁ, ଶିମିଳିସାହି ସରପଞ୍ଚ ସଞ୍ଜୟ ପଟ୍ଟନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।





