ବରଗଡ଼, (ବାଘୁଆବାର୍ତ୍ତା): ବରଗଡ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ ବରଗଡ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ସଫଳତା ହାସଲ କରି ଚାଲିଛି । ଏନେଇ ଗତ ୨୨ ତାରିଖରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢାଉ କରାଯାଇ ୭୮୦୦ ବୋତଲ କଫ ସିରଫ ଜବତ କରାଯିବା ସହ ୫୮ଜଣକୁ ଗିରଫ କରାଯାଇଥିବା ବେଳେ ଏହି ଲିଙ୍କରେ ପୋଲିସକୁ ପୁଣିଥରେ ସଫଳତା ମିଳିଛି। ପୋଲିସ ଆଉ ତିନି ଜଣ କଫ ସିରଫ ମାଫିଆଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୮୩୮୦ ବୋତଲ କଫ୍ ସିରଫ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ ଓ କଟକ ଟାଉନର ପୂର୍ଣ୍ଣଚନ୍ଦ୍ର ବେହେରା ହୋଇଥିବା ବେଳେ ବରଗଡ ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା ।

ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାକୁ କଫ ସିରଫ ଯୋଗାଉଥିବା ବରଗଡ ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ବରଗଡ ଏସ୍ପି ପ୍ରହଲ୍ଲାଦ ସହାଇ ମୀନା । ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଅଧିକ ଜେରା କରିବା ପରେ କଟକ ସହରର ଏକ ମାଲ ଗୋଦାମରେ କଫ ସିରଫ ଗଚ୍ଛିତ ଥିବା ଏବଂ ସେଠାରୁ ବିଭିନ୍ନ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ବରଗଡ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ପୋଲିସର ଏକ ଟିମ୍ କଟକ ଯାଇ ଉକ୍ତ ମାଲ ଗୋଦାମ ଉପରେ ଚଢାଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ଗୋଦାମରୁ ୮୩୮୦ ବୋତଲ କଫ ସିରଫ ଜବତ କରିଥିଲା । ତେବେ ଏହି କଫ ସିରଫ ଦିଲ୍ଲୀର ମାକ୍ସ ଫାର୍ମାସିଟିକାଲରୁ ଆସୁଥିବା ଅଭିଯୁକ୍ତ କହିଥିବା ବେଳେ ଏହି କମ୍ପାନୀର ଆକାଉଣ୍ଟକୁ ମଧ୍ୟ ଜବତ କରି ପୋଲିସ ପକ୍ଷରୁ ଅଚଳ କରାଯାଇଛି। ଏହି ଆକାଉଣ୍ଟରେ ମୋଟ ୩୧,୯୨୫୮୨ ଟଙ୍କା ଥିବା ବରଗଡ ଏସ୍ପି ସୂଚନା ଦେଇଛନ୍ତି। ତେବେ ବରଗଡ ଜିଲ୍ଲାକୁ ନିଶାମୁକ୍ତ କରିବା ଅଭିଯାନରେ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିବା ବେଳେ ପୋଲିସର ଏପରି କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି ।





