ସାଲେପୁର, (ବାଘୁଆବାର୍ତ୍ତା): ଠକିଥିଲେ କୋଟିଏ ଟଙ୍କା । ବିଭିନ୍ନ ଲୋକଙ୍କ ନାଁରେ ବିଭିନ୍ନ ଜିନିଷ ସହ କୃଷି ଋଣ ଉଠାଇ ଅର୍ଥ ଆତ୍ମସାତ କରିଥିବା କୁଖ୍ୟାତ ଠକ ଗିରଫ । ଯାଜପୁରର କୁଆଖିଆରୁ ଗିରଫ କରିଛି କଟକ ଜିଲ୍ଲା କିଶନନଗର ଥାନା ପୋଲିସ । ବିଭିନ୍ନ ଫାଇନାନ୍ସ ସଂସ୍ଥାରୁ ଲୋକଙ୍କ ନାଁରେ ଧାନକଟା ମେସିନ, ଏଲସିଡି, ବୁଲେଟ, ଏସି, ଫ୍ରିଜ୍ ଆଦି ନେଇଯିବା ସହ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ସୋମପୁର ଶାଖାରୁ ଅନ୍ୟ ଜଣଙ୍କ ନାମରେ କୃଷି ଋଣ ଉଠାଇ ଅର୍ଥ ଆତ୍ମସାତ କରିଥିଲେ କୁଖ୍ୟାତ ଠକ । କିଶନନଗର ଥାନା ଅନ୍ତର୍ଗତ କୋଟୁଆଁ ଗ୍ରାମର ରାଜୀବ ଲୋଚନ ପଣ୍ଡାଙ୍କୁ କଟକ ଜିଲ୍ଲା କିଶନନଗର ଥାନା ପୋଲିସ ଯାଜପୁର କୁଆଖିଆରୁ ଗିରଫ କରିଛି । ଠକ ରାଜୀବ ଲୋଚନ ଗିରଫ ହେବାର ଖବର ଜଣାପଡିବା ପରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିବା ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି । ରାଜୀବ ଲୋଚନଙ୍କ ଠକାମୀ କରିବାର କୌଶଳ ନିଆରା । ସରଳ ଜନସାଧାରଣଙ୍କୁ ଚାକିରୀ କରାଇଦେବାକୁ କହି ଆଧାର ହଟାଇବା ପରେ ସେହି ଆଧାରରେ ବିଭିନ୍ନ ଫାଇନାନ୍ସ ଠାରୁ ନାମୀଦାମୀ ଜିନିଷ ଲୋନରେ ଆଣି ତାକୁ ବିକି ଦିଅନ୍ତି । ଏହିଭଳି ଭାବରେ ପ୍ରାୟ କୋଟିଏ ଟଙ୍କାର ଚୂନ ମାରିଛନ୍ତି ରାଜୀବ । ସେହି ଅର୍ଥରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ଗତ ଫେବୃଆରୀ ୨୩ ତାରିଖରେ କିଶନନଗର ଥାନାରେ ଅଭିଯୋଗ କରାଯାଇଥିଲା । ଏ ନେଇ ପୋଲିସ ଆଇପିସିର ଦଫା ୪୨୦ ଓ ୫୦୭ ଧାରାରେ ଏକ ମାମଲା (କେସ୍ ନମ୍ବର-୩୫/୨୩)ରୁଜୁ କରିଥିଲା । ଅଭିଯୁକ୍ତର ମୋବାଇଲ ଟ୍ରାକିଂ କରି ଯାଜପୁରର କୁଆଖିଆରୁ ଧରିଥିଲା । ପୋଲିସ କହିଛି ତଦନ୍ତ ଚାଲିଛି ଅଭିଯୋଗକାରୀଙ୍କ ସଂଖ୍ୟା ବଢିଚାଲିଛି । ତଦନ୍ତ ଶେଷ ହେଲା ପରେ ସଂପୂର୍ଣ୍ଣ ତଥ୍ୟ ମିଳିବ । ପୋଲିସ ଠିକ୍ ଭାବେ ତଦନ୍ତ କରି ଉଚିତ ନ୍ୟାୟ ଦେବା ପାଇଁ ଅଭିଯୋଗକାରୀ ଦାବି କରିଛନ୍ତି ।





